
ବହୁ ପ୍ରତୀକ୍ଷିତ ବାଳକାଟି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ
ଭୁବନେଶ୍ଵର, 10 ମେ (ହି.ସ.) ବାଳକାଟି ଓ ଏହାର ଆଖପାଖ ଅଞ୍ଚଳ ବାସୀଙ୍କ ଦୀର୍ଘ ବର୍ଷର ଅପେକ୍ଷା ର ଅନ୍ତ ସହିତ ବଜାର ଅଞ୍ଚଳରେ ଭିଡ ସମସ୍ୟା ର ସମାଧାନ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ। ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବୀ ମୁତାବକ ୮କୋଟି ୮୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ୱର ଲୋକସଭା ତଥା ଜୟଦେବ ବିଧାନସଭା ନିର୍ବାଚନୀ ମଣ୍ଡଳୀ ର ବାଳକାଟି ଠାରେ,ସାରଦେଇପୂର-ନିମାପଡ଼ା ରାସ୍ତା ପ୍ରଶସ୍ତିକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କରକମଳ ରେ ୧୦ ମିଟର ଚଉଡା ଓ ପାଖାପାଖି ସାଢ଼େ ୫ କିଲୋମିଟର ଲମ୍ବା ଏହି ରାସ୍ତାର ପ୍ରଶସ୍ତି କରଣ ସହିତ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍, କଲଭର୍ଟ କାର୍ଯ୍ୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଯଥାଶୀଘ୍ର ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବ। ତେବେ ଏହି ଅବସରରେ, ବିକାଶ ଓ ସେବା ରାଜନୀତିର ମୂଳ ବୋଲି କହିବା ସହିତ ରାସ୍ତା ପ୍ରଶସ୍ତି କରଣ ରେ ରାସ୍ତା କଡ଼ରେ ରହିଥିବା ଦୋକାନୀ ଭାଇ ମାନଙ୍କ ସମସ୍ୟାର ସମାଧାନ ମିଳିତ ଭାବରେ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ। ଭେଣ୍ଡିଂଜୋନ୍ ମାଧ୍ୟମରେ ସମସ୍ତ ଦୋକାନୀ ଭାଇ ମାନଙ୍କ ପାଇଁ ବ୍ୟବସ୍ଥା କରାଯିବା ସହିତ କାହାର କିଛି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଓଡ଼ିଶା ସରକାର ଙ୍କ ଦ୍ଵାରା ଏହି ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପୂର୍ଣ୍ଣ ସହଯୋଗ ରହୁଥିବା ବେଳେ, ଡବଲ ଇଞ୍ଜିନ ସରକାର ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଥିବା କହିଥିଲେ ସାଂସଦ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିର୍ଦ୍ଦେଶ କ୍ରମେ,
ଶାସନ କୁ ସୁଶାସନ ରେ ପରିଣତ କରିବା ପାଇଁ ନିଜ ସାଂସଦୀୟ କ୍ଷେତ୍ରରେ ରହୁଥିବା ଅଧିକାଂଶ ଦିନରେ ସାଂସଦ ଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ବାବଦରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରାଯାଉଥିବା ସହିତ ଅଭିଯୋଗ ଶୁଣାଣି ଶିବିର ଜରିଆରେ ଲୋକଙ୍କ ଆହୁରି ନିକଟତର ହେବାକୁ ଚେଷ୍ଟା କରୁଥିବା ଜଣାଇଥିଲେ ଅପରାଜିତା।ଏଥିସହିତ ଓଡ଼ିଶା ଏବଂ ଭୁବନେଶ୍ୱର ପାଇଁ ମୋର ଜୀବନ ସମର୍ପିତ ଏବଂ ଆମେ ଯାହା କହିବା ତାହା କରିବା, ଆଉ ଯାହା କରି ପାରିବା ନାହିଁ ତାହା କହିବା ନାହିଁ ବୋଲି କହିବା ସହିତ ଆଗାମୀ ଦିନରେ ଲୋକଙ୍କ ପ୍ରସ୍ତାବ ରେ ବାଲିପାଟଣା ଠାରୁ ରଙ୍ଗ ବଜାର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଓ ବାଳକାଟି ଅଞ୍ଚଳରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଏହି ସଭାରେ ପୂର୍ତ୍ତ ବିଭାଗ ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀ ସଚିନ ସାହୁ ,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ସାହୁ ଙ୍କ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀ ସାଂସଦଙ୍କ ପ୍ରତିନିଧି ଅଶୋକ ପଟନାୟକ,ସ୍ଥାନୀୟ ପୂର୍ବତନ ଜିଲା ସଭାପତି ସୁବାସ ଜେନା, ବରିଷ୍ଠ ନେତା ବସନ୍ତ ନାୟକ, ସାଂସଦ ପ୍ରତିନିଧି ଚୌଧୁରୀ ଦ୍ଵାରିକାନାଥ ଦାଶ, ବିକୟ ମହାରଣା, ଜିଲ୍ଲା ବିଜେପି ଉପସଭାପତି ତାପସ ଜେନା, ମଣ୍ଡଳ ନେତୃତ୍ୱ ଅମ୍ବିକା ଶତପଥୀ, ବ୍ରହ୍ମା ନନ୍ଦ ସ୍ଵାଇଁ, ନିର୍ବାଚନ ମଣ୍ଡଳୀ ନେତା ନାରାୟଣ ଖୁଣ୍ଟିଆ, ପ୍ରଭାତ ସ୍ଵାଇଁ, ରାଜ୍ୟ ଆଇଟି ସେଲ ମୁଖ୍ୟ ଜ୍ଯୋତିରଞ୍ଜନ ନାୟକ ଓ ବହୁ ସଙ୍ଖ୍ୟାରେ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ l ସଭା ପରିଚାଳନା କରିଥିଲେ ରାଜ୍ୟର ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଶିବ ମଲିକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଶୋକ ପଟନାୟକ l
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା