
ସମ୍ବଲପୁର, ୧୨, ମେ (ହି.ସ.)ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏହି ଘଟଣାରେ ରେଢ଼ାଖୋଲ ଥାନାରେ କେସ୍ ୮୩/୨୬ ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୨୬ ତାରିଖରେ ସିମାରାଣୀ ପ୍ରଧାନ ନାମ୍ନୀ ଜନୈକା ଯୁବତୀଙ୍କ ସହ ଅଭିଯୁକ୍ତ ବିନୋଦ ପ୍ରଧାନର ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ପକ୍ଷରୁ ନଗଦ ୨ ଲକ୍ଷ ଟଙ୍କା, ସୁନା ହାର ଓ ୱାସିଂ ମେସିନ୍ ଦାବି କରାଯାଇଥିଲା। ଦାବି ପୂରଣ ନହେବାରୁ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।
ଏହାପରେ ପୂର୍ବରୁ ମଧ୍ୟ ରେଢ଼ାଖୋଲ ଥାନାରେ ଯୈତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସ୍ୱାମୀ ବିନୋଦ ନିଜ ପତ୍ନୀର ଅଜାଣତରେ ସମ୍ଭୋଗ କରୁଥିବା ସମୟର ଅଶ୍ଳୀଳ ଫଟୋ ଓ ଭିଡିଓ ନିଜ ମୋବାଇଲରେ ସଂଗ୍ରହ କରିଥିଲା । ପରେ ସେହି ଫଟୋ ଓ ଭିଡିଓ ଗୁଡ଼ିକୁ ନିଜ ଶଳାଙ୍କ ମୋବାଇଲକୁ ପଠାଇବା ସହ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପିଡୀତା ମହିଳା ସୀମା ମାନସିକ ଭାବେ ଭାଙ୍ଗି ପଡ଼ିବା ସହ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିବାର ସୂଚନା ମିଳିଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା, କୁଦାପଡା ଗ୍ରାମର ଅଭିଯୁକ୍ତ ସ୍ବାମୀ ବିନୋଦ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିନୋଦକୁ ଗିରଫ କରିବା ବେଳେ ପୋଲିସ ତା' ନିକଟରୁ କିଛି ଅଶ୍ଳୀଳ ଫଟୋ ସ୍କ୍ରିନସଟ୍, ମୋବାଇଲ ଫୋନ ଓ ମେମୋରୀ କାର୍ଡ ଜବତ କରିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ