


ସମ୍ବଲପୁର,୧୦, ମେ (ହି.ସ.)
ଚଳିତ ଜାତିଗତ ଜନ ଗଣନାର କେନ୍ଦ୍ର ସରକାରଙ୍କ ୧୨ ନମ୍ବର କଲମ ଏବଂ ରାଜ୍ୟ ସରକାରଙ୍କ ୧୩ ନମ୍ବର କଲମରେ ପଛୁଆ ବର୍ଗ (ଓବିସି)ଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଶନିବାର ଦାବି ପତ୍ର ପ୍ରଦାନ କରାଯାଇଥିଲା I ସ୍ଥାନୀୟ ସର୍କିଟ ହାଉସ ରେ ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ଙ୍କ ନେତୃତ୍ୱ ରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା I ପ୍ରାୟ ୧୪ ବର୍ଷ ର ବ୍ୟବଧାନ ପରେ ଜନ ଗଣନା ଏବଂ ଦୀର୍ଘ ୯୪ ବର୍ଷ ପରେ ସମଗ୍ର ଭାରତରେ ଜାତିଗତ ଜନଗଣନା କରାଯାଉଛି I ଜାତିଗତ ଜନଗଣନା କରାଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ I ଜନଗଣନାରେ ମୁଖ୍ୟତଃ ଦେଶର ଜନସଂଖ୍ୟା, ସାମାଜିକ, ଆର୍ଥିକ, ଶିକ୍ଷା, ଜାତି, ବୃତ୍ତି ଏବଂ ରହଣି ଆଦି ସ୍ଥିତି ଜାଣିବା ପରେ ଜନସଂଖ୍ୟା ଅନୁପାତରେ ବିଭିନ୍ନ କ୍ଷେତ୍ର ପାଇଁ ନୀତି ନିର୍ଦ୍ଧାରଣ କରାଯାଇଥାଏ I ଏହି ତଥ୍ୟ ଆଧାରରେ ହିଁ ସରକାର ସଠିକ୍ ନିଷ୍ପତ୍ତି ନେଇଥାନ୍ତି I ଏହା କେବଳ ଲୋକଙ୍କ ସଂଖ୍ୟା ଗଣିବା ପାଇଁ ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶର ଏକ ମୂଳଦୁଆ ଅଟେ I ଭାରତୀୟ ସମ୍ବିଧାନର ଧାରା ୩୪୧ ହିସାବରେ ଏସସି, ୩୪୨ ହିସାବରେ ଏସଟି ଜାତି ମାନଙ୍କୁ ଚିହ୍ନଟ କରାଯାଇଛି I ଠିକ୍ ସେହିପରି ସମ୍ବିଧାନର ଧାରା ୩୪୦ ଅନୁସାରେ ଓବିସି ବର୍ଗର ଜାତି ମାନଙ୍କୁ ଚିହ୍ନଟ କରାଯାଇଛି । ସେହି ହିସାବରେ ଓଡିଶାରେ ୨୦୦ଟି ଓବିସି ଜାତି ରହିଛନ୍ତି I ସେମାନଙ୍କୁ ଧାରା ୧୫(୪) ଅନୁସାରେ ଶିକ୍ଷାରେ, ଧାରା ୧୬(୪) ଅନୁସାରେ ସରକାରୀ ଚାକିରୀରେ, ଧାରା ୨୪୩ (ଡି୬) ଅନୁସାରେ ପଞ୍ଚାୟତିରାଜରେ, ଧାରା ୨୪୩ (ସି୬) ଅନୁସାରେ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦରେ ସଂରକ୍ଷଣ ପାଇବାର ବ୍ୟବସ୍ଥା ରହିଛି I ତିନୋଟି ଯାକ ପଛୁଆ ବର୍ଗ କମିଶନ - କାକା କାଲେଲକର (୧୯୫୩-୫୫), ମଣ୍ଡଳ କମିଶନ (୧୯୬୯-୮୦), ରୋହିଣୀ କମିଶନ ( ୨୦୧୮-୨୩) ଓବିସି ଜାତି ଜନଗଣନା କରିବାକୁ ସୁପାରିଶ କରିଛନ୍ତି । ତଥ୍ୟ ବିନା ତାଙ୍କ ବିକାଶ ପାଇଁ ଯୋଜନା ଅର୍ଥ-ବରାଦ ବି ପ୍ରସ୍ତୁତ କରାଯାଇ ପାରିବ ନାହିଁ । ଏଣୁ ଓବିସି ଜାତି ଜନଗଣନା ଓବିସିଙ୍କ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ ଅଟେ । ତେବେ ସମଗ୍ର ଭାରତ ରେ ବସବାସ କରୁଥିବା ପ୍ରାୟ ୭୫ କୋଟି ରୁ ଉର୍ଦ୍ଧ ପଛୁଆ ବର୍ଗଙ୍କ ଗଣନା କରା ନ ଯିବା ଅତ୍ୟନ୍ତ ପରିତାପର ବିଷୟ ଅଟେ ବୋଲି ପ୍ରଦତ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି I ପଛୁଆ ବର୍ଗ (ଓବିସି)ଙ୍କୁ ଅଣଦେଖା କରାଯାଇ ବିକଶିତ ଭାରତର ପରିକଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ I ଚଳିତ ଜାତିଗତ ଜନ ଗଣନାର ପଚାରା ଯାଉଥିବା ପ୍ରଶ୍ନ ରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଯୋଡ଼ା ନ ଯିବା ଦ୍ୱାରା ଏହି ଜନଗଣନାର ମୂଳ ଲକ୍ଷ୍ୟ ଏବଂ ଗତ ତା. ୩୦.୦୪.୨୦୨୫ ମଃ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ଆଗାମୀ ଜନଗଣନାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନେଇ ହୋଇଥିବା ନିଷ୍ପତ୍ତିର ବିରୁଦ୍ଧIଚରଣ କରୁଅଛି I ଏହି ପରିପ୍ରେକ୍ଷୀରେ ଓଡିଶାରେ ବସବାସ କରୁଥିବା ସାଢ଼େ ୪ କୋଟି ଓଡ଼ିଆଙ୍କ ମଧ୍ୟରୁ ପ୍ରାୟ ୫୨ ପ୍ରତିଶତ ଅର୍ଥାତ ୨ କୋଟି ୩୦ ଲକ୍ଷରୁ ଉର୍ଦ୍ଧ ପଛୁଆ ବର୍ଗ (ଓବିସି) ଚଳିତ ଜନଗଣନାରେ ସାମିଲ ନ ହେବା ପାଇଁ ରାଜ୍ୟବ୍ୟାପୀ ସଚେତନତା କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ରାଜ୍ୟ ଓବିସି ମଞ୍ଚ, ଓଡିଶା ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି I ତେବେ ଦାବି ପତ୍ର ଗ୍ରହଣ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତିଗତ ଜନଗଣନା ନିଶ୍ଚିତ କରାଯିବ ବୋଲି ପ୍ରକାଶ କରିଥିଲେ I ଆଜିକାର ଏହି ଦାବି ପତ୍ର ପ୍ରଦାନ ସମୟରେ ରାଜ୍ୟ ଓବିସି ମଞ୍ଚ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଉପ ସଭାପତି ନାରେନ ସାହୁ, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀନାଥ ବେହେରା, ବଂଶୀଧର ମେହେର, ଜିତେନ୍ଦ୍ର କୁମାର ପ୍ରଧାନ, ସୀମାଞ୍ଚଳ ଖଟେଇ, ସମ୍ବଲପୁର ଜ଼ିଲ୍ଲା ଆବାହକ ସରୋଜ ସାହୁ, ଶୁଭେନ୍ଦୁ କୁମାର ସାହୁ, କୃପାସିନ୍ଧୁ ଖମାରି, ଡ୍. ଉତ୍ତମ ପ୍ରଧାନ, ଲଷ୍ମୀ ନାରାୟଣ ପ୍ରଧାନ, ଡ଼. ସୁଷମା ସାହୁ, ସସ୍ମିତା ଦେହୁରୀ, ରାଜ କୁମାର ସାହୁ, ନୃପମଣି ପଟେଲ, ଟଙ୍କଧର ମାଝୀ, ଲଷ୍ମୀ ନାରାୟଣ ପଟେଲ, ସୁଧାଂଶୁ ଶେଖର ମହାରଣା, ଜଟା ଭୂଷଣ ସାହୁ, ସପ୍ତସିନ୍ଧୁ ବଗର୍ତ୍ତୀ, ବଂଶୀଧର ମେହେର, ବିଭୀଷଣ ରାଉତ, ରାଜିନ୍ଦ୍ର ସାହୁ, ବସନ୍ତ ସ୍ୱାଇଁ, ଭବାନୀ ଶଙ୍କର ପ୍ରଧାନ, ପ୍ରହଲ୍ଲାଦ ସାହୁ, ସୁଭାଷ ଚନ୍ଦ୍ର ବେହେରା, ନରେଶ ଚନ୍ଦ୍ର ବଗର୍ତ୍ତୀ ତଥା ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼ ଆଦି ଜ଼ିଲ୍ଲା ର ଶତାଧିକ ଓବିସି କର୍ମୀ ଉପସ୍ଥିତ ଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ