


ବଲାଙ୍ଗିର, 10 ମେ (ହି.ସ.) ଆମ ସଂସ୍କୃତିରେ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମ ଭିତରେ ଏବେ ବି ଆଶା ଓ ବିଶ୍ୱାସ ଅଛି, ସଂସ୍କାର ଓ ମାନବିକତା ବଞ୍ଚି ରହିଛି l ବର୍ତ୍ତମାନର ଯୁବପିଢ଼ି ହିଁ ହେଉଛନ୍ତି ଆମର ସ୍ଥିତି ଓ ସମ୍ଭାବନା । ତେଣୁ ତାଙ୍କ ଭିତରେ ପରିବାରରୁ ହିଁ ପ୍ରଥମେ ସଂସ୍କାର ଏବଂ ଶିକ୍ଷାଦାନରେ ପରିବର୍ତ୍ତନ ଆଣିଲେ ଆଗକୁ ସେମାନେ ଆମ ସଂସ୍କୃତିର ଅବକ୍ଷୟକୁ ରୋକି ପାରିବେ l ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ 'ରଚନା' ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ ଆମ ସଂସ୍କୃତି : ସ୍ଥିତି ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି l ଏହି କାର୍ଯ୍ୟକ୍ରମରେ ଅତିଥିବକ୍ତା ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଏବଂ ଡିଏଭି କଲେଜ, ଟିଟିଲାଗଡ଼ର ଅଧ୍ୟାପିକା ବନ୍ଦନା କର ଯୋଗଦେଇ ତାଙ୍କ ବକ୍ତବ୍ୟରେ ପ୍ରାଚୀନ ଗୁରୁକୁଳ ଆଶ୍ରମରେ ବିଦ୍ୟାଦାନ ବ୍ୟବସ୍ଥା, ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ ଓ ସେମାନଙ୍କଠାରୁ ସଂସ୍କୃତି ଓ ସଂସ୍କାର ଶିକ୍ଷା ଏବଂ ସାମ୍ପ୍ରତିକ ଶୈକ୍ଷିକ ପରିବେଶକୁ ତୁଳନା କରି, ଆମେ ଅତି ମାତ୍ରାରେ ନିରାଶାବାଦୀ ନ ହୋଇ ଆଶାବାଦୀ ହେବା ଏବଂ ଆମ ସଂସ୍କୃତିର ସଂରକ୍ଷଣ ପାଇଁ ନିଜ ପରିବାର ହିଁ ହେଉଛି ଆମର ପ୍ରାଥମିକ ଗୁରୁକୁଳ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥିବକ୍ତା ଭାବରେ ଯୁବ ପ୍ରତିଭା ପ୍ରକାଶ କଲତା ଏବଂ ନିକିତା ସିଂହ ଆମ ଉତ୍କଳୀୟ ଓ ଭାରତୀୟ ସଂସ୍କୃତିର ଅନନ୍ୟତା ଉପରେ ଆଲୋକପାତ କରିଥିଲେ l ଯୁବ ପ୍ରତିଭା ପିଙ୍କି ବାଗ ଓ ଶ୍ରୀତମ କୁମ୍ଭାର ଆଲୋଚ୍ୟ ବିଷୟ ଉପରେ ନିଜ ନିଜ ମତ ରଖିଥିଲେ। 'ରଚନା'ର ସଦସ୍ୟା ସସ୍ମିତା ନେପାକ କାର୍ଯ୍ୟକ୍ରମର ସଂଯୋଜନା ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ l ଏହି 'ମାସିକ ରଚନା ସନ୍ଧ୍ୟା'ରେ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀ ଏବଂ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର ଓ ସଂସ୍କୃତିପ୍ରେମୀ ଉପସ୍ଥିତ ରହି 'ରଚନା'ର ଏଭଳି ସକାରାତ୍ମକ ପ୍ରୟାସର ପ୍ରଶଂସା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ