
ଭୁବନେଶ୍ୱର, ୧୦ ମଇ (ହି.ସ.) : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଦିନ ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିର୍ବାଚନ ମଣ୍ଡଳୀର ନାୟକଗୁଡ଼ାରେ ଆୟୋଜିତ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ସମାବେଶରେ ଯୋଗଦେଇ ମହିଳା ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସମାବେଶରେ ଶତାଧିକ ମହିଳା ଏକାଠି ହୋଇ ମହିଳାଙ୍କ ପ୍ରତି ବିରୋଧୀ ଦଳମାନଙ୍କ ଅନ୍ୟାୟ ବିରୋଧରେ ସ୍ୱର ଉଠାଇଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ , ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିବା ସହ ମହିଳାଙ୍କ ଅଧିକାରକୁ ଛଡାଇ ନେବାର ଅଭିଯୋଗରେ ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ବିରୋଧରେ ମହିଳାମାନେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି। ନିତ୍ୟାନନ୍ଦ ଗଣ୍ଡ ଆହୁରି କହିଛନ୍ତି ଯେ, ମହିଳାଙ୍କ ନ୍ୟାୟସଂଗତ ଅଧିକାରକୁ ଛଳନା ଓ କୁଚକ୍ରାନ୍ତ ମାଧ୍ୟମରେ ବଞ୍ଚିତ କରାଯାଇଥିବା ବିରୋଧୀ ଶକ୍ତିଙ୍କ ବିରୋଧରେ ଏହି ଆକ୍ରୋଶ ଏକ ଜାଗରଣ ସୃଷ୍ଟି କରିଛି।
ସମାବେଶରେ ସେ କହିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ରାଷ୍ଟ୍ର ଗଠନର ମୂଳ ଭିତ୍ତି। ଏହାକୁ ବାସ୍ତବ ରୂପ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
-----------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ