
ପୁରୀ, ୧୦ ମଇ (ହି.ସ.)- ଦେଶର ସୁରକ୍ଷା ଓ ଅଖଣ୍ଡତା ଭାରତର ପ୍ରତ୍ୟେକ ନାଗରିକ ମାନଙ୍କର ଦାୟିତ୍ଵ। ଦେଶ ସେବା ପାଇଁ କେବଳ ସେନା ନୁହେଁ ଆମେ ସମସ୍ତେ ପ୍ରତିବଦ୍ଧ ହେବାକୁ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆହ୍ଵାନ ଦେଇଛନ୍ତି। ଏନସିସି ଓଡିଶା ଷଷ୍ଠ ବାଟାଲିୟନର ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅପରେସନ ସିନ୍ଦୂରର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଅପରେସନ ସିନ୍ଦୁର ଆମ ଜାତୀୟ ଏକତା, ଶୌର୍ଯ୍ୟ, ବୀରତ୍ବ ଓ ଶକ୍ତିର ପ୍ରତୀକ। ଏହା ଆମ ଯବାନ ମାନଙ୍କ ତ୍ୟାଗ ଓ ସାହସକୁ ପ୍ରତିପାଦିତ କରିବା ସହ ସମଗ୍ର ବିଶ୍ବକୁ ଚକିତ କରିପାରିଥିଲା ବୋଲି କହିବା ସହ ଦେଶର ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ. ରବୀନ୍ଦ୍ର ନାଥ ପାଢ଼ୀ, ପୂର୍ବତନ ଏନସିସି ଅଫିସର୍ ସୁବ୍ରତ କୁମାର ମହାନ୍ତି, ସିଟିଓ ପ୍ରେମରାଜ ଗହୀର, ବିଶ୍ଵଜିତ୍ ପାଢ଼ୀ ପ୍ରମୁଖ ଯୋଗଦେଇ ଅପରେସନ ସିନ୍ଦୂର ଓ ତାହାର ସଂକକ୍ପ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ସହୀଦ ମାନଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯିବା ସହ ମହାବିଦ୍ୟାଳୟ ପରିସରରେ ଥିବା ସହୀଦ ମନୋଜ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଅପରେସନ ସିନ୍ଦୂର ଭିଡିଓ ପ୍ରଦର୍ଶନ ସହ କ୍ୟାଡେଟ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ