




ସମ୍ବଲପୁର,୧୦, ମେ (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ସ୍ଥିତ ମିନି ଷ୍ଟାଡିୟମ ପରିସରରେ ଆଜି ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାକଟିଦେଉଳ, ରେଢ଼ାଖୋଲ ଏବଂ ଯୁଯୁମୁରା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ ସମ୍ପନ୍ନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସେ ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।
ଭୀମ ମଣ୍ଡଳୀର ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ ୮.୫ କୋଟି ଟଙ୍କାର ପର୍ଯ୍ୟଟନ ପ୍ରକଳ୍ପ,ଶିଳାନ୍ୟାସ ହୋଇଥିବାର ସୂଚନା ଦେଇଥିଲେ । ଏହି ଅଞ୍ଚଳ ପ୍ରାୟ ୧୦ ରୁ ୨୦ ହଜାର ବର୍ଷର ପୁରାତନ ମାନବ ସଭ୍ୟତାର ମୂକସାକ୍ଷୀ। ଏଠାରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ।ନାକଟିଦେଉଳ ଅଞ୍ଚଳର ପ୍ରାୟ ୧୫ ହଜାର ପରିବାରଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧୮ କୋଟି ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଶିଳାନ୍ୟାସ କରାଯାଇଛି। ଏହାସହ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ନାକଟିଦେଉଳ ଠାରେ ୨୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ମିନି ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସେ କହିଥିଲେ।ନାକଟିଦେଉଳ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାକୁ କେନ୍ଦ୍ର ସରକାରଙ୍କ 'ଆକାଂକ୍ଷୀ ବ୍ଲକ' ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ୧୦୦ଟି ଗାଈ ବଣ୍ଟନ ଯୋଜନା ଯାହା ପାଇଁ ସିଏସଆର ପାଣ୍ଠିରୁ ଆର୍ଥିକ ସହାୟତାର ବ୍ୟବସ୍ଥା କରିବା କୁ ପ୍ରଶାସନକୁ କହିଥିଲେ। ଜଳସେଚନ ସମସ୍ୟାର ସମାଧାନ ପାଇଁ ଛୋଟ ଛୋଟ ଜଳ ପ୍ରକଳ୍ପ ଓ ନାଳ ବନ୍ଧ ଉପରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ସମ୍ବଲପୁର ଜିଲ୍ଲା ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏହାକୁ ପ୍ରଥମ ସ୍ଥାନକୁ ଆଣିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେହିପରି ୨୦୨୭ ସୁଦ୍ଧା ନାକଟିଦେଉଳ ଓ ରେଢ଼ାଖୋଲ ର ଗାଁରେ ପାନୀୟ ଜଳ ପହଞ୍ଚାଇବାକୁ ରାଜ୍ୟ ମନ୍ତ୍ରୀ ରବିନାରାୟଣ ନାୟକ ଙ୍କୁ ନିବେଦନ କରିଥିଲେ । ଆମର ମୂଳ ଲାହ୍ୟ ରହିଛି ସର୍ବାଙ୍ଗୀନ ଉନ୍ନତି ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୀତି ଆଦି କ୍ଷେତ୍ର ରେ ଉନ୍ନତି ହେଲେ ଯାଇ ଓଡ଼ିଶା ର ବିକାଶ ହେବ, ତେବେ ଯାଇ ଭାରତ ୨୦୪୭ ସୁଦ୍ଧା ବିକଶିତ ଦେଶ ରେ ପରିଣତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଞ୍ଚଳବାସୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସଭାରେ ମନ୍ତ୍ରୀ ଶ୍ରୀ ନାୟକ ସରକାରଙ୍କ 'ବିକଶିତ ଓଡ଼ିଶା' ସଙ୍କଳ୍ପ ଉପରେ ଆଲୋକପାତ କରିଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନାକଟିଦେଉଳ, ଯୁଜୁମରା ଏବଂ ରେଢ଼ାଖୋଲ ଅଞ୍ଚଳର ୩୮୧ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯିବ। 'ମିଶନ ପାୱାର' ଏବଂ ପିଏମ୍ ଆର ଓ୍ବାଇ ମାଧ୍ୟମରେ ରେଢ଼ାଖୋଲ ଓ ନାକଟିଦେଉଳ ଅଞ୍ଚଳର ୩୭ଟି ଗାଁକୁ ପକ୍କା ରାସ୍ତା ସଂଯୋଗ କରାଯିବ। ୨୦୨୭ ସୁଦ୍ଧା ଅଞ୍ଚଳର ପ୍ରତିଟି ଗାଁକୁ ରାସ୍ତା, ବିଜୁଳି ଏବଂ ପାଣିର ସୁବିଧା ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।କେନ୍ଦ୍ର ସରକାରଙ୍କ 'ଜାତୀୟ ଶିକ୍ଷା ନୀତି' ଅଞ୍ଚଳର ଯୁବପିଢ଼ିଙ୍କୁ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ପ୍ରୋତ୍ସାହିତ କରିବ। ୨୦୩୬ (ଓଡ଼ିଶା ଗଠନର ୧୦୦ ବର୍ଷ) ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ଶ୍ରୀ ନାୟକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମିଳିତ ଉଦ୍ୟମରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ ଚଲେଇଛି ବୋଲି କହିଥିଲେ।
ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।ଶ୍ରମ କଲ୍ୟାଣ ଅଧୀନରେ ୧୫୪ ଜଣ ହିତାଧିକାରୀଙ୍କୁ ମୋଟ ୧,୦୨,୫୨,୮୦୦ ଟଙ୍କାର ସହାୟତା ବଣ୍ଟନ କରାଯାଇଛି। ଏଥିରେ ଶିକ୍ଷା ସହାୟତା ୮ ଜଣ, ବିବାହ ସହାୟତା ୧୧୭ ଜଣ, ୧ ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା, ମୃତ୍ୟୁକାଳୀନ ସହାୟତା ୧୪ ଜଣ ଏବଂ ଅନ୍ତ୍ୟେଷ୍ଟିକ୍ରିୟା ଖର୍ଚ୍ଚ ୧୪ ଜଣ ଙ୍କୁ ପ୍ରଦାନ କରାଯାଇଛି। ମିଶନ ଶକ୍ତି ଓ ଓଏଲଏମ - ୧୪୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୨୬,୨୮,୦୦୦ ଟଙ୍କାର ରିଭଲଭିଂ ଫଣ୍ଡ୍ ମଞ୍ଜୁର କରାଯାଇଛି। ଲକ୍ଷପତି ଦିଦି: ଜିଲ୍ଲାରେ ୫୧,୭୬୩ ଜଣ ସମ୍ଭାବ୍ୟ 'ଲକ୍ଷପତି ଦିଦି'ଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୩୬,୦୦୦ରୁ ଅଧିକ ମହିଳା ସଫଳତା ପାଇସାରିଛନ୍ତି। ଆଜି ସେମାନଙ୍କ ମଧ୍ୟରୁ କୃତି ଦିଦିଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସଏଲ୍ ହେଲଥ କାର୍ଡ, ଗରିବ ପରିବାରକୁ ରାସନ କାର୍ଡ, ବିଧବା ଭତ୍ତା ଏବଂ ଅନ୍ତୋଦୟ ଗୃହ ଯୋଜନାରେ ସହାୟତା ପ୍ରଦାନ ସହ ନାକଟିଦେଉଳ ର ଉଚ୍ଚ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଦଶମ ଶ୍ରେଣୀ ପରୀକ୍ଷା ରେ ଏ ଓ୍ବାନ୍ ଗ୍ରେଡ ପାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ନାକଟିଦେଉଳ ଗସ୍ତ କରି ମୋଟ (ପ୍ରାୟ ୧୯୪ କୋଟି) ଟଙ୍କା ବ୍ୟୟ ଅଟକଳର ୪୭ଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟରେ ଭୀମ ମଣ୍ଡଳୀ ଠାରେ ୮.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଇକୋ-ଟୁରିଜିମ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି, ଯାହା ଅଞ୍ଚଳରେ ପର୍ଯ୍ୟଟନର ବିକାଶ କରିବ।ନୂତନ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ପ୍ରକଳ୍ପ ପାଇଁ ୧୬.୫ କୋଟି ଟଙ୍କାର ଶିଳାନ୍ୟାସ ସହ ନାକଟିଦେଉଳ ମିନି ଷ୍ଟାଡିୟମଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା।
ମୋଟ ୧୬ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୩୧ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମାନ୍ୟବର ରେଢ଼ାଖୋଲ ବିଧାୟକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ପୋଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୂ ପ୍ରମୁଖ ମଞ୍ଚାସିନ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ