
ଚେନ୍ନାଇ, ୧୦ ମଇ (ହି.ସ.)। ତାମିଲଗା ଭେଟ୍ରି କଝଗମ (ଟିଭିକେ)ର ଅଧ୍ୟକ୍ଷ ଜୋସେଫ ବିଜୟ ଆଜି ତାମିଳନାଡୁର ଶାସନ ଭାର ସମ୍ଭାଳିଛନ୍ତି। ଚେନ୍ନାଇର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଆୟୋଜିତ ଭବ୍ୟ ସମାରୋହରେ ତାମିଳନାଡୁର ପ୍ରଭାରୀ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଟିଭିକେ ପ୍ରମୁଖ ଜୋସେଫ ବିଜୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜୋସେଫ ବିଜୟ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଜୋସେଫ ବିଜୟଙ୍କ ଶପଥ ଗ୍ରହଣ ସହିତ ସମ୍ପୂର୍ଣ୍ଣ ଷ୍ଟାଡିୟମ ତାଳି ଓ ସ୍ଲୋଗାନରେ ଗୁଞ୍ଜରିତ ହୋଇଉଠିଥିଲା। ବିଜୟଙ୍କ ଶପଥ ପରେ ଏନ୍. ଆନନ୍ଦ, ଆଦଭ ଅର୍ଜୁନା, ଅରୁଣରାଜ, ସେଙ୍ଗୋଟ୍ଟାଇୟନ, ଭେଙ୍କଟରମଣନ, ନିର୍ମଳକୁମାର, ରାଜମୋହନ, ଡି.କେ. ପ୍ରଭୁ ଏବଂ କୀର୍ତ୍ତନା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
ଏହି ସମାରୋହରେ ବିଜୟଙ୍କ ପରିବାର ସଦସ୍ୟ, ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବର୍ଗ ଏବଂ ମହାମେଂଟ ଦଳର ନେତାମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧିମଧ୍ୟ ଉପସ୍ଥିତ ଥିଲେ। ତାମିଳନାଡୁର ରାଜନୀତିରେ ୨୦୨୬ ବର୍ଷକୁ ଏକ ନୂତନ ଯୁଗର ଆରମ୍ଭ ଭାବେ ଦେଖାଯାଉଛି। ଶପଥ ଗ୍ରହଣ ସମାରୋହରେ “ତାମିଳ ଥାଇ ବନ୍ଦନା” ଗୀତ ପରିବର୍ତ୍ତେ ପ୍ରଥମେ “ବନ୍ଦେ ମାତରମ୍” ଏବଂ ପରେ ରାଷ୍ଟ୍ରଗାନ ବଜାଯାଇଥିଲା। ଏହା ପରେ “ତାମିଳ ଥାଇ ବନ୍ଦନା” ପ୍ରସ୍ତୁତ କରାଯାଇଥିଲା।
ଉଲ୍ଲେଖନୀୟ ଯେ, ତାମିଳନାଡୁ ସରକାରଙ୍କ କାର୍ଯ୍ୟକ୍ରମ ସାଧାରଣତଃ “ତାମିଳ ଥାଇ ବନ୍ଦନା”ରୁ ଆରମ୍ଭ ହୋଇ ରାଷ୍ଟ୍ରଗାନ ସହିତ ସମାପ୍ତ ହୁଏ, କିନ୍ତୁ ଏହି ସମାରୋହରେ କ୍ରମ ପରିବର୍ତ୍ତିତ ଦେଖାଯାଇଥିଲା। ଏହା ସହିତ ରାଜ୍ୟର ଦୁଇ ପ୍ରମୁଖ ଦଳ ଡିଏମକେ ଏବଂ ଏଆଇଏଡିଏମକେର ପ୍ରାୟ ଛଅ ଦଶକ ଧରି ଚାଲିଆସୁଥିବା ଶାସନର ଅନ୍ତ ଘଟିଛି। ଜୋସେଫ ବିଜୟ ମହାମେଂଟ ସରକାରଙ୍କ ନେତୃତ୍ୱ ନେବେ, ଯେଉଁଥିରେ କଂଗ୍ରେସ ଏକ ସହଯୋଗୀ ଦଳ ଭାବେ ସମ୍ମିଳିତ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା