
ଭୁବନେଶ୍ୱର, 10 ମେ (ହି.ସ.) - ବାଲିଅନ୍ତା ଥାନାରେ ରୁଜୁ ହୋଇଥିବା ଦୁଇଟି ସମ୍ବେଦନଶୀଳ
ମାମଲାର ତଦନ୍ତ ନିଜ ହାତକୁ ନେଇଛି କ୍ରାଇମବ୍ରାଂଚ । ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକଙ୍କ
ନିର୍ଦ୍ଦେଶରେ ବାଲିଅନ୍ତା ଥାନା କେସ ନମ୍ବର ୨୨୦/୨୦୨୬ ଏବଂ ୨୨୧/୨୦୨୬ର ତଦନ୍ତ ବର୍ତ୍ତମାନ
କଟକସ୍ଥିତ ସିଆଇଡି କ୍ରାଇମ ବ୍ରାଞ୍ଚ କରିବ। ଏହି ସୂଚନା ରାଜ୍ୟ ପୁଲିସ ପକ୍ଷରୁ ଦିଆଯାଇଛି।
ଏହି ମାମଲାଗୁଡ଼ିକ
ସାର୍ବଜନିକ ସ୍ଥାନରେ ହୋଇଥିବା ଯୌନ ଉତ୍ପୀଡ଼ନ ଏବଂ ପରବର୍ତ୍ତୀ ସମୟରେ ଲୋକଙ୍କ ଦ୍ୱାରା ସୌମ୍ୟ
ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ସହ ସମ୍ପର୍କିତ ଅଟେ। ମାମଲାଗୁଡ଼ିକର ସମ୍ବେଦନଶୀଳତାକୁ ଦୃଷ୍ଟିରେ
ରଖି ସିଆଇଡି କ୍ରାଇମ ବ୍ରାଞ୍ଚ ତଦନ୍ତର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନେଇଛି।
ଏହି ମାମଲାଗୁଡ଼ିକୁ ୯ ମଇ
୨୦୨୬ରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବିଭିନ୍ନ ଧାରା ଅନୁଯାୟୀ ସିଆଇଡି ସିବି ଥାନା କେସ ନମ୍ବର
୦୬/୨୦୨୬ ଏବଂ ୦୭/୨୦୨୬ ଭାବେ ପୁନଃ ରୁଜୁ କରାଯାଇଛି।
ସିଆଇଡି କ୍ରାଇମ ବ୍ରାଞ୍ଚର
ଉପ ପୁଲିସ ଅଧୀକ୍ଷକ (ଡିଏସପି) ରତ୍ନପ୍ରଭା ଶତପଥୀଙ୍କୁ ଘଟଣାସ୍ଥଳରେ ତଦନ୍ତ ପାଇଁ ନିଯୁକ୍ତ
କରାଯାଇଛି।
ତଦନ୍ତ ପ୍ରକ୍ରିୟା ସିଆଇଡି
କ୍ରାଇମ ବ୍ରାଞ୍ଚର ପୁଲିସ ଅଧୀକ୍ଷକ ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆରମ୍ଭ
କରାଯାଇଛି,
ଯାହା ଫଳରେ ତଦନ୍ତରେ ସ୍ପଷ୍ଟତା, ନିଷ୍ପକ୍ଷତା ଏବଂ ପାରଦର୍ଶିତା ସୁନିଶ୍ଚିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା