
ସମ୍ବଲପୁର, 10 ମେ (ହି.ସ.) -
କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟିଦେଉଳ, ରେଢାଖୋଲ ଏବଂ ଯୁଯୁମୁରା ବ୍ଲକର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ
୧୯୪ କୋଟି ଟଙ୍କା ବ୍ୟୟରେ ୪୮ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି
ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁରର ବୀରତ୍ୱର ଗାଥାକୁ ସ୍ମରଣ କରି କହିଛନ୍ତି ଯେ, ଏହି ମାଟି ହେଉଛି ସଂଘର୍ଷର ମାଟି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ
ମଧୁ ଗଡ଼ତିଆଙ୍କ ପରି ବୀରମାନେ ସ୍ୱାଭିମାନ ପାଇଁ ଇଂରେଜଙ୍କ ବିରୁଦ୍ଧରେ ସାଲିସବିହୀନ ଲଢେଇ
କରିଥିଲେ। ସେହି ପବିତ୍ର ଭୂମିକୁ ପ୍ରଣାମ ଜଣାଇବା ସହ ଆଜି ଅନେକ ହିତାଧିକାରୀଙ୍କୁ ସରକାରୀ
ଯୋଜନାର ସୁଫଳ ମଧ୍ୟ ହସ୍ତାନ୍ତରଣ କରିଛନ୍ତି।
ପର୍ଯ୍ୟଟନ ଓ ଐତିହ୍ୟର
ବିକାଶକୁ ଗୁରୁତ୍ୱ ଦେଇ ଶ୍ରୀ ପ୍ରଧାନ ନାକଟିଦେଉଳ ବ୍ଲକ ଅନ୍ତର୍ଗତ 'ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍'ର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଐତିହ୍ୟ ସ୍ଥଳୀର
ବିକାଶ ପାଇଁ ପ୍ରାୟ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ଦେଇଥିବାରୁ ସେ ମାନ୍ୟବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖୁବ୍ ଶୀଘ୍ର ଏଠାରେ ପ୍ରବେଶ ପଥ, ବ୍ରିଜ୍, ଭ୍ୟୁ ପଏଣ୍ଟ, ସୌର ଶକ୍ତି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ
ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ, ଯାହା ଭୀମମଣ୍ଡଳୀର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ଲୋକଲୋଚନକୁ
ଆଣିବ।
ଅଞ୍ଚଳର ଜନସାଧାରଣଙ୍କ
ସୁବିଧା ପାଇଁ ନାକଟିଦେଉଳଠାରେ କମ୍ୟୁନିଟି ହେଲଥ୍ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ
ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି।
ସେହିପରି ରେଢାଖୋଲ ବ୍ଲକ ଅଧୀନରେ ଥିବା ରାମପୁର-ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ
କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଆଜି ଶୁଭାରମ୍ଭ
ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ
ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ନାକଟିଦେଉଳକୁ ଭାରତ ସରକାର
ଏକ 'ଆକାଂକ୍ଷୀ ବ୍ଲକ' ଭାବେ ଚୟନ କରିଥିବାରୁ ଏଠାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ
ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଞ୍ଚଳରେ ଦୁଗ୍ଧ ଚାଷ, ପନିପରିବା ଓ ଆମ୍ବ ଚାଷକୁ ବ୍ୟାପକ କରି ସ୍ଥାନୀୟ ଚାଷୀଙ୍କୁ ଆର୍ଥିକ
ଭାବେ ସ୍ୱାବଲମ୍ବୀ କରିବା ସହ ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ସରକାରଙ୍କ ମୁଖ୍ୟ
ଲକ୍ଷ୍ୟ ବୋଲି ମାନ୍ୟବର ମନ୍ତ୍ରୀ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା