
ଗଞ୍ଜାମ, ୧୦ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ତାରାସିଂ ବନାଚଂଳରେ ଏକ ଅସୁସ୍ଥ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଉତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଚଂଳ ଘୋଗଡ଼ ସଂରକ୍ଷିତ ଜଙ୍ଗଲ ନିକଟ ତାଳଗଣ୍ଡ ଅନ୍ଧାରିଆ ନାଳ ନିକଟରୁ ଏହି ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ । ଅସୁସ୍ଥତା କାରଣରୁ ୨-୩ ଦିନ ତଳେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଭୁବନେଶ୍ୱର ଜେ.ଟି.ଏଫ. ଟିମ୍ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିବା ସହ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏ.ସି.ଏଫ. ବିମଳ ପ୍ରଧାନ, ରେଞ୍ଜର ପ୍ରଶାନ୍ତ ବେହେରା ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହିି ହାତୀଟି ପଡ଼ୋଶି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଞ୍ଜ୍ ଅଂଚଳରୁ ଆସିଥିବା ଏକ ୬ଟିକିଆ ହାତୀପଲ ସହିତ ଘୁରି ବୁଲୁଥିଲା । ଅସୁସ୍ଥ ହୋଇଥିବା ଜଣାପଡିବା ପରେ ନୟାଗଡ଼ ବନ ବିଭାଗ ପକ୍ଷରୁ ତା’ର ଚିକିତ୍ସା ଜାରି ରହିଥିଲା । ଏହି ହାତୀ ପଲ ଗତ ୨ ତାରିଖରେ ଘୋଗଡ଼ ସେକ୍ସନକୁ ଆସିଥିଲେ । ଅସୁସ୍ଥ ହାତୀଟି ଉପରେ ନଜର ରଖାଯାଇଥିଲା । କିନ୍ତୁ, ଶେଷରେ ହାତୀଟିର ମୃତ୍ୟୁ ଘଟିଛି ।
ପ୍ରକାଶ ଥାଉକି, ଗତ ମାର୍ଚ୍ଚ ମାସରେ ଏହି ବନାଚଂଳରେ ଗାୟଗଣ୍ଡା ସେକ୍ସନ ଅଧିନ ଆମ୍ବଝରା ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ