ପାକେଲଖୋଲ—କୁଅରମାଲ ଛକରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ଓ ଶୌଚାଳୟ ଦାବି
Demand for common minimum facility
ପାକେଲଖୋଲ—କୁଅରମାଲ ଛକରେ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ ଓ ଶୌଚାଳୟ ଦାବି


ଝାରସୁଗୁଡ଼ା, 11 ମେ (ହି.ସ.) ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍ ଅନ୍ତର୍ଗତ ପାକେଲଖୋଲ—କୁଅରମାଲ ଛକରେ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏଠାରେ ଯାତ୍ରୀ ପ୍ରତୀକ୍ଷାଳୟ ସହ ଶୌଚାଳୟ ନିର୍ମାଣ କରିବାକୁ ଆଞ୍ଚଳିକ ବିକାଶ ପରିଷଦ ସଙ୍ଗଠନ ପକ୍ଷରୁ ପ୍ରଶାସନଙ୍କ ନିକଟରେ ଦାବି ହୋଇଛି।

ସୂଚନା ଅନୁଯାୟୀ, ପାକେଲଖୋଲ—କୁଅରମାଲ ଛକ ଲଇକେରା ସହିତ ଝାରସୁଗୁଡ଼ା, କୋଲାବିରା ଓ କିର୍ମିରା ଅଞ୍ଚଳକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଛକ ହୋଇଥିବାରୁ ଏଠାରେ ସବୁବେଳେ ଯାତ୍ରୀଙ୍କ ଭିଡ଼ ଲାଗି ରହୁଛି। କିନ୍ତୁ ପ୍ରତୀକ୍ଷାଳୟର ଅଭାବରୁ ଲୋକମାନେ ଖରା, ବର୍ଷା ଓ ଶୀତରେ ରାସ୍ତା କଡ଼ରେ ଠିଆ ହୋଇ ବସ୍କୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ମହିଳା, ଛାତ୍ରୀଛାତ୍ର, ବୃଦ୍ଧ ଓ ଶିଶୁମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି।

ଅନ୍ୟପଟେ ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ସରକାର ସ୍ବଚ୍ଛତାକୁ ଗୁରୁତ୍ଵ ଦେଉଥିବା ବେଳେ ଏହି ଛକରେ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଆଞ୍ଚଳିକ ବିକାଶ ପରିଷଦ ସଙ୍ଗଠନର ସଭାପତି ଜିତେନ୍ଦ୍ରିୟ ଧୂରୁଆ, ସମ୍ପାଦକ ସମ୍ବିତ ନାଇକଙ୍କ ସହ ବାପି ନାଇକ, ଅଜିତ ପ୍ରଧାନ ଓ ସ୍ଥାନୀୟ ଅଞ୍ଚଳବାସୀ ଶୀଘ୍ର ଏଠାରେ ଯାତ୍ରୀ ପ୍ରତୀକ୍ଷାଳୟ ଏବଂ ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେହିପରି ଯାତ୍ରୀମାନେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏନେଇ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande