
ମାଲକାନଗିରି, ୧୧ ମଇ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମ ନିକଟସ୍ଥ ଏକ ମହୁଲ ଗଛ ତଳେ ଗାଈ କାଟି ମାଂସ ବିକ୍ରି କରାଯାଉଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି କାର୍ଯ୍ୟର ଜଡିତ ବ୍ୟକ୍ତିଙ୍କ ନାମ “ଧବା” ବୋଲି ଜଣାପଡ଼ିଛି ।
ମାଥିଲି ବ୍ଲକ୍ ର ଧୁଙ୍ଗୁଆପୁଟ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମ ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର ପାଇବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଓଡ଼ିଶାରେ ପ୍ରଚଳିତ “ ଓଡିଶା ପ୍ରିଭେନସନ ଅଫ କାୱ ସ୍ଲାଟର ଆକ୍ଟ ୧୯୬୦ ର ଧାରା–୩ ଅନୁସାରେ ଗାଈ ହତ୍ୟା ସଂପୂର୍ଣ୍ଣ ଭାବେ ନିଷିଦ୍ଧ ଅଟେ । ଏହି ଆଇନ ଉଲ୍ଲଂଘନ କରିଲେ ଧାରା–୭ ଅନୁଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି ।
ଏହାସହ “ପ୍ରିଭେନସନ ଅଫ କୃଏଲିଟି ଟୁ ଆନିମଲସ ଆକ୍ଟ, ୧୯୬୦ ଅନୁସାରେ ପଶୁଙ୍କୁ ନିର୍ଦୟ ଭାବେ ହତ୍ୟା କରିବା, ନିର୍ଯାତନା ଦେବା କିମ୍ବା ଅମାନବିକ ବ୍ୟବହାର କରିବା ମଧ୍ୟ ଦଣ୍ଡନୀୟ ଅପରାଧ ଅଟେ ।
ସମ୍ପ୍ରତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟରେ ଗୋହତ୍ୟା ନିରୋଧ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାପରେ ଏବେ ସାଧାରଣ ଲୋକଙ୍କ ନଜର ରହିଛି ପୁଲିସ ଓ ଜିଲ୍ଲା ପ୍ରଶାସନ ଉପରେ । ଘଟଣାର ସଠିକ ତଦନ୍ତ କରି ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କିପରି କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ, ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ