ଝାରସୁଗୁଡ଼ା ଝାଡ଼େଶ୍ୱର ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ
Direct telecast of somanth
ଝାରସୁଗୁଡ଼ା ଝାଡ଼େଶ୍ୱର ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ


ଝାରସୁଗୁଡ଼ା ଝାଡ଼େଶ୍ୱର ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଶ୍ରଦ୍ଧାଳୁ

ଝାରସୁଗୁଡ଼ା , 11 ମେ (ହି.ସ.)ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ରବିବାର ଝାରସୁଗୁଡ଼ାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଝାଡ଼େଶ୍ୱର ମନ୍ଦିର ପରିସରରେ “ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷର ଅଖଣ୍ଡ ବିଶ୍ୱାସ” ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁଜରାଟର ପ୍ରଭାସ ପାଟଣସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ମୁଖ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

ମନ୍ଦିର ପରିସରରେ ବଡ଼ ପରଦାରେ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ଓ ଉଦ୍ବୋଧନକୁ ଉପସ୍ଥିତ ଭକ୍ତମାନେ ଗଭୀର ଆଧ୍ୟାତ୍ମିକ ଭାବନାର ସହ ଅନୁଭବ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତିକୁ ଭାରତୀୟ ସାଂସ୍କୃତିକ ପୁନର୍ଜାଗରଣର ଏକ ଐତିହାସିକ ଅଧ୍ୟାୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ତପନ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ରାମହରି ପୂଜାରୀ, ବିଧାୟକଙ୍କ ପ୍ରତିନିଧି ପ୍ରେମସେନ ରାୟ, ବିମଳେନ୍ଦୁ ଭୋଳ, କିର୍ମିରା ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ତହସିଲଦାର ସଦାକର କୁମ୍ଭାର, ଜିଲ୍ଲା ସଂସ୍କୃତି ଅଧିକାରୀ ହରେକୃଷ୍ଣ ବରିହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଡେପୁଟି କଲେକ୍ଟର ସୌମେଶ ଆଚାର୍ଯ୍ୟ ଏବଂ ଝାଡ଼େଶ୍ୱର ବିକାଶ ପରିଷଦ ସଭାପତି ସଦାନନ୍ଦ ଦାସ ଉପସ୍ଥିତ ଥିଲେ।

ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ହୋଇଥିବା ଏହି ଉତ୍ସବରେ ଭଜନ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀ, ଝରାପଡ଼ାଙ୍କ ଭଜନ ପରିବେଷଣରେ ସମଗ୍ର ପରିବେଶ ଭକ୍ତିରସରେ ମୁଗ୍ଧ ହୋଇଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande