
ଖୋର୍ଦ୍ଧା, ୧୧ ମେ (ହି.ସ.) - ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ, ବେଗୁନିଆ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ସଂକଳ୍ପ ସ୍ୱସ୍ତିକ ସାହୁ, ଉପ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା, ଆସିଷ୍ଟାଂଟ କଲେକ୍ଟର,ଅଭିଯୋଗ, ଭୁବନେଶ୍ୱରୀ କଅଁର ,ବି ଡି ଓ, ବେଗୁନିଆ, ତହସିଲଦାର, ବେଗୁନିଆ , ହଜ ଗ୍ରାମ ପଂଚାୟତ ସରପଂଚ ଦମୟନ୍ତୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ଜିଲ୍ଲା ପ୍ରଶାସନକୁ ସହଯୋଗ ପ୍ରଦାନ କରିଥିଲେ । ଆଜିର ଅଭିଯୋଗ ଶିବିରକୁ ମୋଟ ୧୧୮ଟି ଅଭିଯୋଗ ଆସିଥିଲା ବେଳେ ତନ୍ମଧ୍ୟରୁ ୧୦୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୨ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଅଭିଯୋଗ ଆସିଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ ଅଭିଯୋଗ ଶିବିରରେ ୮୧ ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ । ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବିଧାୟକ, ବେଗୁନିଆ, ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ଜ୍ୟୋତି ଶଙ୍କର ସାହୁ,ସମସ୍ତ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଅଗ୍ରଣୀ ଯୋଜନାର ସଫଳ ରୂପାୟନ ଦିଗରେ ଖୋଲା ଯାଇଥିବା ଶିକ୍ଷା ଓ ସୂଚନା ଷ୍ଟଲ ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ । ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଲାଇନ୍ ଡିପାର୍ଟମେଂଟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
...............
ହିନ୍ଦୁସ୍ଥାନ ସମାଚାର / ରାକେଶ