
ନୂଆପଡ଼ା,୧୧ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିର ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଏକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିର ଆଞ୍ଚଳିକ ଅଧିକାରୀ ବବିତା ସିଂ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଲନ କୁମାର ଝଙ୍କାର, ତହସିଲଦାର ନରସିଂହ ଗଡବା, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାୟକ, ୟାର ସଂସ୍ଥାର ସ୍ଥାପକ ମହେନ୍ଦ୍ର ଯୋଶୀ, ପ୍ରାଧିକରଣର ପ୍ୟାନେଲ ଓକିଲ ଆଲୋକ ତିୱାରୀ, ଓ ଅଧିକାର ମିତ୍ରଗଣ ଓ ଖଡ଼ିଆଳର ସଫେଇ ମିତ୍ର ମାନେ ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ଆଇନ, ଦେଶରେ ନୂତନ ଭାବେ ଲାଗୁ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମାବଳୀ, ୨୦୨୬ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁର ବିଭିନ୍ନ ପ୍ରକାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଜ୍ୟବସ୍ତୁର ପୃଥକୀକରଣ, ପୁନଃବ୍ୟବହାର ଓ ଉତ୍ପାଦନରେ ହ୍ରାସ ଓ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ, ଭୋପାଳ ନଗର ନିଗମ ବନାମ ଡ଼ଃ. ସୁଭାଷ ପାଣ୍ଡେୟରେ ମାନ୍ୟବର ସୁପ୍ରିମ୍ କୋର୍ଟ୍ ଦେଇଥିବା ରାୟ, ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ, ପରିବେଶ ସ୍ବଛତା ଇତ୍ୟାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଉପରୋକ୍ତ ବିଷୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ଖଡ଼ିଆଳ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସଚେତନତା କାର୍ଯ୍ୟକ୍ରମ ଉପରାନ୍ତେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା ଓ ୫୩୪ କେଜି ପ୍ଲାଷ୍ଟିକ ଆବର୍ଜନା ସଫା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ