ନକଲି ପରିଚୟରେ ଠକେଇ, ଅଭିଯୁକ୍ତ ଗିରଫ
ନକଲି ପରିଚୟରେ ଠକେଇ, ଅଭିଯୁକ୍ତ ଗିରଫ
ନକଲି ପରିଚୟରେ ଠକେଇ, ଅଭିଯୁକ୍ତ ଗିରଫ


ନକଲି ପରିଚୟରେ ଠକେଇ, ଅଭିଯୁକ୍ତ ଗିରଫ


ସମ୍ବଲପୁର,୧୧, ମେ (ହି.ସ.) ନିଜକୁ ନୀତି ଆୟୋଗ ଅଧୀନରେ ଥିବା ମାନବାଧିକାର ଫୋରମ୍ର ‘ଜିଲା ଅଧ୍ୟକ୍ଷ’ ପରିଚୟ ଦେଇ ସମ୍ବଲପୁର ଓ ଅନୁଗୁଳ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଭିନ୍ନ ଢାବା ଓ ହୋଟେଲରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ରେଢ଼ାଖୋଲ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସିଦ୍ଧାନ୍ତ ସିଂ ହୋଇଥିଲା ବେଳେ ତାର ସଠିକ୍ ଠିକଣା ଜଣା ପଡ଼ିନାହିଁ । ତେବେ ସମ୍ବଲପୁର ସହରର ଅଇଁଠାପାଲି ବା ବରେହିପାଲି ଅଂଚଳର ଏହି କୁଖ୍ୟାତର ଘର ବୋଲି କୁହାଯାଉଛି। ନିଜର ଏକ ଦାମୀ କାର ସମ୍ମୁଖରେ ‘ଜିଲା ଅଧ୍ୟକ୍ଷ, ସମ୍ବଲପୁର, ମାନବ ଅଧିକାର ଫୋରମ୍, ନୀତି ଆୟୋଗ (ଭାରତ ସରକାର) ଦ୍ୱାରା ପଞ୍ଜିକୃତ’ ଲେଖାର ଏକ ବୋର୍ଡ ଲଗାଇ ଅତି ନିର୍ଭୟରେ ସେ ବିଭିନ୍ନ ସମୟରେ ବୁଲାବୁଲି କରିଥାଏ । ସମୟ ସୁଯୋଗ ଦେଖି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବିଭିନ୍ନ ବଡ଼ବଡ଼ ଢାବା ଓ ହୋଟେଲରେ ଅଚାନକ ପହଂଚି ନିଜକୁ ଜଣେ ବଡ଼ ସରକାରୀ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ସମ୍ପୃକ୍ତ ଢାବା ଓ ହୋଟେଲରେ ବେଆଇନ ମଦ, ରୂପଜୀବୀ ଯୋଗାଣ ଓ ଚୋରା ତେଲ କାରବାର କରୁଥିବାର ମିଥ୍ୟା ଅଭିଯୋଗ ଆଣି ଢାବା ଓ ହୋଟେଲର ମାଲିକମାନଙ୍କୁ ଜେଲ ପଠାଇ ଦେବା ଧମକ ଦେଇ ମୋଟା ଅଙ୍କର ଚାନ୍ଦା ଆଦାୟ କରି ଆସୁଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବ୍ରଜ ଢାବାରୁ ୨୦ ହଜାର ଏବଂ ସଞ୍ଜୀବ ଢାବାରୁ ୪୦ ହଜାର ଟଙ୍କା ଠକେଇ କରିଥିଲା । ପୁଣି ଥରେ ଗତ ଶନିବାର ସେ ସାଧୁମୁଣ୍ଡା ସ୍ଥିତ ସଞ୍ଜୀବ ଢାବାକୁ ଆସି ବେଆଇନ କାର୍ଯ୍ୟ କରୁଥିବା ଧମକଚମକ ଦେଇ ଟଙ୍କା ମାଗିବା ସହ ଗାଳିଗୁଲଜ କରି ଜେଲ୍ ପଠାଇ ଦେବାର ଧମକ ଦେଇଥିଲା । ବିଭିନ୍ନ ସମୟରେ ଅର୍ଥ ଶୋଷଣର ଶିକାର ହେଉଥିବା କିଛି ଢାବା ଓ ହୋଟେଲ ମାଲିକଙ୍କ ସନ୍ଦେହ ହେବାରୁ ସେମାନେ ଏକଜୁଟ ହେବାର ପ୍ରସ୍ତୁତି କରୁଥିଲେ । ସାମାନ୍ୟ ପୂର୍ବାଭାସ ପାଇବା ପରେ ଅଭିଯୁକ୍ତ ସିଦ୍ଧାନ୍ତ ଘଟଣା ସ୍ଥଳରୁ ଖସି ପଳାଇଥିଲା। ସନ୍ଦେହ ଦୃଢ଼ୀଭୂତ ହେବାପରେ ଢାବା ମାଲିକ ଅକ୍ରୂର ସାହୁ ଘଟଣା ସମ୍ପର୍କରେ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ରେଢାଖୋଲ ଥାନା ପୋଲିସ ଏନେଇ ଅନୁଗୋଳ ଜିଲାର ରାଜକିଶୋରନଗର, ହଣ୍ଡପା ଓ ଜରପଡ଼ା ଥାନାକୁ ସୂଚନା ଦେଇ ସତର୍କ କରାଇ ଦେଇଥିଲେ । ଜାତୀୟ ରାଜପଥକୁ ନାକାବନ୍ଦୀ କରାଯାଇ ଜରପଡ଼ାରେ ଧୂର୍ତ ଅଭିଯୁକ୍ତର କାର୍କୁ ପୋଲିସ ଅଟକାଇ ସିଦ୍ଧାନ୍ତକୁ ଗିରଫ କରିଥିଲା । ପୋଲିସର ଅତର୍କିତ ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି କାରର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ପୋଲିସ କାର୍ରେ ଲାଗିଥିବା ନକଲି ବୋର୍ଡ, ମାନବାଧିକାର ଫୋରମ୍ର ନକଲି ପରିଚୟପତ୍ର, ୨ଟି ମୋବାଇଲ ଓ ନଗଦ ୨୦୦୦ ଟଙ୍କା ଜବତ କରିଛି। ତେବେ ଅଭିଯୁକ୍ତ ସିଦ୍ଧାନ୍ତର କୌଣସି ସରକାରୀ ସଂସ୍ଥା ସହ ସମ୍ପୃକ୍ତି ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି। ଢାବା ମାଲିକ ଅକ୍ରୂରଙ୍କ ଲିଖିତ ଅଭିଯୋଗ ଉପରେ ରେଢ଼ାଖୋଲ ଥାନାରେ ପୋଲିସ ଏକ ମାମଲା ରୁଜୁକରି ଗିରଫ ସିଦ୍ଧାନ୍ତକୁ କୋର୍ଟଚାଲାଣ କରିଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande