
ନୂଆପଡ଼ା, ୧୧ ମଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବାଦି ଗ୍ରାମ ପଂଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଂଚାୟତ ସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଅ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ତହସିଲଦାର ନରସିଂହ ଗଦବା ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ।
ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟାକୁ କୋଳରେ ଧରି ତାହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ। ଏହି ଅବସରରେ, ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା ସୃଷ୍ଟି କରା ଯାଇଥିଲା।
ସ୍କୁଲ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯାଇ ଜନସଚେତନତା ସୃଷ୍ଟି କରା ଯାଇଥିଲା। ଶିବିରରେ ଜିଲ୍ଲାପାଳ ସମସ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ ସରକାରଙ୍କ ପକ୍ଷରୁ ବହୁତ ଜନ ମଙ୍ଗଳକାରୀ ତଥା କର୍ମ ନିଯୁକ୍ତି ଯୋଜନା ଜିଲ୍ଲାରେ ଉପଲବ୍ଧ ଅଛି। ସେ ଗ୍ରାମବାସୀଙ୍କୁ ପ୍ରବାସୀ ଶ୍ରମିକ ଭାବରେ ନ ଯାଇ ଘରେ ରହି ଏହାର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ। ସେ ଛୋଟ ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲ୍ ପଠେଇବା ପାଇଁ ବାପା ମାଁ ମାନଙ୍କୁ କହିଥିଲେ। ସେହିପରି, ଗାଁ କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ, ହିତାଧିକାରୀ ଶ୍ରମିକଙ୍କୁ ମନରେଗା ଯୋଜନାରେ ୧୦୦ରୁ ଅଧିକ ଦିନ କାମ କରିଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଶେଷରେ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା, ସ୍ଥାନୀୟ ସରପଂଚ, ପଂଚାୟତିରାଜ ବିଭାଗ, ଜଙ୍ଗଲ ବିଭାଗ ପ୍ରମୁଖ ମିଳିତ ଭାବରେ ଆୟୋଜନ କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ନେବା ପାଇଁ ମଧ୍ୟ ଜିଲ୍ଲାପାଳ ତାହାଙ୍କୁ ପରାମର୍ଶ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ