
ଝାରସୁଗୁଡ଼ା, ୧୧ ମେ (ହି.ସ.) - ବେଲପାହାଡ ମୁନିସିପାଲିଟି କାଉନସିଲ ହଲ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିବା ସହ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ମୋଟ ୫୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ସମସ୍ୟା ଭିତିକ ହୋଇଥିବା ବେଳେ ୨୨ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିସହ ଜଣଙ୍କୁ ସହାୟତା ପାଣ୍ଠି ରୁ ୨୦,୦୦୦ ଟଙ୍କାର ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଶିବିରରେ ମୁଖ୍ୟତଃ ଜମିଜମା ବିବାଦ, ପାନୀୟ ଜଳ ଯୋଗାଣ, ଶିକ୍ଷା ସମ୍ବନ୍ଧୀୟ, ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଅଭିଯୋଗମାନ ଆସିଥିଲା। ଜିଲ୍ଲାପାଳ ପ୍ରତ୍ୟେକଟି ଆବେଦନକୁ ଗୁରୁତ୍ୱର ସହ ବିଚାର କରି କେତେକ ସମସ୍ୟାର ତତ୍କାଳ ସମାଧାନ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବେଲପାହାଡ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ