
ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ଓ ଜନସାଧାରଣଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ
କେନ୍ଦ୍ରାପଡ଼ା, ୧୧ ମଇ(ହି.ସ.) – ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ମାର୍ଶାଘାଇ ସ୍ଥିତ ଜଳସେଚନ ବିଭାଗ ଡାକ ବଙ୍ଗଳା ଠାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ। ବୈଠକରେ ମନ୍ତ୍ରୀ ସ୍ୱାସ୍ଥ୍ୟ, କ୍ରୀଡ଼ା, ପାନୀୟ ଜଳ, ଦକ୍ଷତା ବିକାଶ, ଶିକ୍ଷା, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ବିଦ୍ୟୁତ, ଶିଳ୍ପ ସହ ବିଭିନ୍ନ ବିଭାଗର କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ସମସ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଭିତିରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଚାଲିଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମହାକାଳପଡ଼ାର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଆଜି ସକାଳେ ମନ୍ତ୍ରୀ ମହାକାଳପଡ଼ା ବ୍ଲକର ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ଆୟୋଜିତ “ସୋମନାଥ ସ୍ୱାଭିମାନ ପର୍ବ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି