ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳର ଚାଷୀମାନଙ୍କ ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ଗଣଧାରଣାରେ ଜୟପୁର ବିଧାୟକଙ୍କ ଯୋଗଦାନ
ଜୟପୁର/ଭବାନୀପାଟଣା, ୧୧ ମଇ (ହି.ସ.)- ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ କଳାହାଣ୍ଡିର ପ୍ରାୟ ପନ୍ଦର ହଜାର ଚାଷୀଙ୍କ ରବିଧାନ-୨୦୨୬ ବିକ୍ରି ପାଇଁ ପଞ୍ଜୀକରଣ ବନ୍ଦ କରି ସରକାର ଚାଷୀଙ୍କ ପେଟରେ ଲାତ ମାରିଛନ୍ତି । ଯେଉଁ ଚାଷୀ ଦିନରାତି ଝାଳ ବୁହାଇ ଧାନ ଉତ୍ପାଦନ କରୁଛି, ସେହି ଚାଷୀ ଆଜି ନିଜ ଅଧିକାର ପ
ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳର ଚାଷୀମାନଙ୍କ ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ଗଣଧାରଣାରେ  ଜୟପୁର ବିଧାୟକ ଙ୍କ ଯୋଗଦାନ


ଜୟପୁର/ଭବାନୀପାଟଣା, ୧୧ ମଇ (ହି.ସ.)-

ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ କଳାହାଣ୍ଡିର ପ୍ରାୟ ପନ୍ଦର ହଜାର ଚାଷୀଙ୍କ ରବିଧାନ-୨୦୨୬ ବିକ୍ରି ପାଇଁ ପଞ୍ଜୀକରଣ ବନ୍ଦ କରି ସରକାର ଚାଷୀଙ୍କ ପେଟରେ ଲାତ ମାରିଛନ୍ତି । ଯେଉଁ ଚାଷୀ ଦିନରାତି ଝାଳ ବୁହାଇ ଧାନ ଉତ୍ପାଦନ କରୁଛି, ସେହି ଚାଷୀ ଆଜି ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି। ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଚାଷୀ ସମାଜ ପ୍ରତି ଘୋର ଅନ୍ୟାୟ ଓ ଅବହେଳାର ଜୀବନ୍ତ ଉଦାହରଣ।

କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ଼ର ଚାଷୀମାନେ ନ୍ୟାୟସଙ୍ଗତ ଦାବୀକୁ ସମର୍ଥନ କରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋକସରା ଠାରେ ଆୟୋଜିତ ଗଣଧାରଣାରେ ସାମିଲ ହୋଇ ଚାଷୀଙ୍କ କଣ୍ଠସ୍ୱରକୁ ଆହୁରି ଶକ୍ତିଶାଳୀ କରିଥିଲେ।

ବିଧାୟକ ବାହିନୀପତି ଜଣେ ଉତ୍ତମ ଚାଷୀ ହେବା ସହ ମାଟି ଓ ଚାଷର ଯନ୍ତ୍ରଣାକୁ ନିଜ ଜୀବନରେ ଅନୁଭବ କରିଛନ୍ତି। ସେଥିପାଇଁ ଚାଷୀଙ୍କ ଦରଦ, ସଂଘର୍ଷ ଓ ଅଭାବକୁ ତାଙ୍କଠାରୁ ଅଧିକ କେହି ବୁଝି ପାରିବେ ନାହିଁ। ସେ ସ୍ପଷ୍ଟ କରି କହିଛନ୍ତି, ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। ଚାଷୀଙ୍କ ଅଧିକାର ଛଡାଇ ନେବାର ଅର୍ଥ ହେଉଛି ଗରିବ ଓ ଅନ୍ନଦାତାଙ୍କ ଆତ୍ମସମ୍ମାନକୁ ଅପମାନ କରିବା।

ଆଜି ସରକାର କେବଳ ଘୋଷଣାରେ ସୀମିତ, କିନ୍ତୁ ଚାଷୀଙ୍କ ଆଖିର ଲୁହ, ଋଣର ଭାର ଓ ପରିଶ୍ରମର ମୂଲ୍ୟକୁ ଦେଖିବାକୁ ଇଚ୍ଛୁକ ନୁହେଁ। ଚାଷୀଙ୍କ ଧାନ କିଣିବାରେ ଅବହେଳା କରି ସରକାର କାହାର ସ୍ୱାର୍ଥ ସାଧନ କରୁଛି ତାହା ଆଜି ସାଧାରଣ ଜନତା ବୁଝି ସାରିଛନ୍ତି।

ଶ୍ରୀ ବାହିନୀପତି ସରକାରଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଅତିଶୀଘ୍ର ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇ ତାଙ୍କ ନ୍ୟାୟସଙ୍ଗତ ଦାବୀ ପୂରଣ ନକରାଯାଏ, ତେବେ ଏହି ଆନ୍ଦୋଳନ ରାସ୍ତାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଗର୍ଜି ଉଠିବ । କଂଗ୍ରେସ ସଦା ସର୍ବଦା ଚାଷୀଙ୍କ ସହିତ ଥିଲା, ଅଛି ଓ ରହିବ। ଅନ୍ନଦାତାଙ୍କ ଅଧିକାର ପାଇଁ ଏହି ଲଢେଇ ଆହୁରି ଅଧିକ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande