
ଜୟପୁର,୧୧ ମେ (ହି.ସ.) - ଜୟପୁର ଟାଉନ ଥାନା ଅଂଚଳରେ ଏକ ବଡ଼ ଧରଣର ଠକେଇ ମାମଲା ସାମ୍ନାକୁ ଆସିଛି। ଲୋକଙ୍କୁ ଲୋନ୍ ଦେବା ନାମରେ କୋଟି କୋଟି ଟଙ୍କା ଆତ୍ମସାତ୍ କରି ଲକ୍ଷ୍ମୀପଣ୍ଡା ନାମକ ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଚାଂଚଲ୍ୟ ସୃଷ୍ଟି କରିଛି। ଜୟପୁର ନୂଆସାହି ୩ୟ ଲାଇନରେ ଲକ୍ଷ୍ମୀପଣ୍ଡା ନାମକ ଜଣେ ବ୍ୟକ୍ତି ବାହାର ରାଜ୍ୟରୁ ଆସି ଏୟାରଟେଲ୍ ବ୍ୟାଙ୍କ ଓ କମ୍ୟୁନିକେସନ୍ ସେଂଟର ଖୋଲିଥିଲେ। ଦୁଇ ମାସ ଧରି ଭଲ ଭାବେ ବ୍ୟବସାୟ ଚଳାଇ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ହାସଲ କରିଥିଲେ। ‘ପଣ୍ଡା କମ୍ୟୁନିକେସନ୍’ ନାମରେ ଚାଲୁଥିବା ଏହି ସେଂଟରରେ ସେ ଲୋନ୍ ପ୍ରଦାନ କରିବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ। ଅଭିଯୋଗ ଅନୁଯାୟୀ, ଲକ୍ଷ୍ମୀପଣ୍ଡା ବ୍ୟବସାୟିକ ଲାଭ, ଉଚ୍ଚ ସୁଧ ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଓ ସୁନା ଆଦାୟ କରି ହଠାତ୍ ଫେରାର ହୋଇଯାଇଛନ୍ତି। ଆଜି ପ୍ରାୟ ୨୦ ଜଣ ପ୍ରତାରିତ ବ୍ୟକ୍ତି ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ସେମାନେ କହିଛନ୍ତି ଯେ, ଟଙ୍କା ଫେରସ୍ତ ନପାଇ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜୟପୁର ଟାଉନ୍ ଥାନା ପୋଲିସ ଅଭିଯୋଗ ପଞ୍ଜିକୃତ କରି ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ମୀପଣ୍ଡାଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ଏବଂ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି। ଟାଉନ୍ ଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି ଯେ, ଏପରି ପ୍ରଲୋଭନମୂଳକ ପ୍ରସ୍ତାବ ଉଚ୍ଚ ସୁଧ, ସହଜ ଲୋନ୍ ଇତ୍ୟାଦି ରେ ପଡ଼ି ଟଙ୍କା ବା ସୁନା ଦେବା ଆଗରୁ ନିଶ୍ଚିତ ଭାବେ ପୋଲିସ ସହ ଯୋଗାଯୋଗ କରନ୍ତୁ ଏବଂ ସମ୍ପୃକ୍ତ ବ୍ୟକ୍ତି ବା ପ୍ରତିଷ୍ଠାନର ବିଶ୍ୱାସ ଯୋଗ୍ୟତା ଯାଂଚ କରନ୍ତୁ।ଏହି ଘଟଣା ଜୟପୁରବାସୀଙ୍କୁ ସତର୍କ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି