
ଜୟପୁର, 11 ମେ (ହି.ସ.) ଗ୍ରୀଷ୍ମ ପ୍ରବାହ ରେ ଜଳୁଛି ସାରା ରାଜ୍ୟ , ଖରା ତାତିରୁ ତ୍ରାହି ପାଇବା ପାଇଁ କୋରାପୁଟ ଜିଲାରେ ଥଣ୍ଡା ପାନୀୟରେ ବେଶ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଏହାର ସୁଯୋଗ ନେଇ କୋରାପୁଟ, ଜୟପୁର, ସେମିଳିଗୁଡା, ବୋରିଗୁମ୍ମା, କୋଟପାଡରେ ବହୁ ଅସାଧୁ ବ୍ୟବସାୟୀ ଯାବତୀୟ ବେନାମୀ ଥଣ୍ଡା ପାନୀୟ ବିକ୍ରିି କରୁଥିବାର ନଜରକୁ ଆସିଛି । ପାଣି ବୋତଲ ହେଉ କିମ୍ବା ପାଣି ପାଉଚ ଗୁଡିକରେ କୌଣସି ବି ଏକ୍ସପାରି ଲେବୁଲ ମଧ୍ୟ ରହୁନାହିଁ । ଏହାର ଶୁଦ୍ଧତା ନେଇ ଗ୍ରାହକ ମାନେ ମଧ୍ୟ ସନ୍ଦେହରେ ପଡୁଛନ୍ତି । ପ୍ରଶାସନ ପକ୍ଷରୁ ଏହାକୁ ଜମା ଯାଞ୍ଚ କରାଯାଉନଥିବାରୁ ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ଦେଖା ଦେଇଛି । ଗ୍ରାମାଞ୍ଚଳର ଛୋଟ ଛୋଟ ଦୋକାନରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନକଲି ଥଣ୍ଡା, ପାନୀୟ ସୋଡ଼ା, ପାଣି ପାଉଚରେ ଅପମିଶ୍ରିତ ସାମଗ୍ରୀର ଚାହିଦା ସହ ବିକ୍ରି ମଧ୍ୟ ବୃଦ୍ଧି ପାଇଛି । ଯାହାକି ଜନସାଧାରଣ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବିନା ଲାଇସେନ୍ସରେ ଏକାଧିକ ବିଭିନ୍ନ ପ୍ରତିଷ୍ଟିତ କମ୍ପାନୀ ଲୋଗରେ ନକଲି ସୋଡ଼ା, ପାଣି ବୋତଲ, ପାଣି ପାଉଚ, ବେଧଡକ ବିକ୍ରି ଚାଲିଛି । ଏମାନଙ୍କ ଉପରେ ଜିଲ୍ଲା ପ୍ରସାଶନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଙ୍କୁଶ ନ ଥିବା ହେତୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁତା ପାଲଟି ଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ନିମ୍ନମାନର ପାଣି ବୋତଲ, ପାଣି ପାଉଚ, ପାନୀୟ ଜଳ ପିଇବା ଦ୍ୱାରା ଲୋକେ ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ପରିଲକ୍ଷିତ ହେଉଛି । ବଜାରରେ ବିକ୍ରି ହେଉଥିବା ପାଣି ବୋତଲ, ପାଣି ପାଉଚ, ଥଣ୍ଡା ବୋତଲରେବ୍ୟବହାର ବିଧି ସମ୍ପର୍କରେ କୌଣସି ସୂଚନା ନାହିଁ । ଏହି ସବୁ ପ୍ରସ୍ତୁତ ଓ ବିକ୍ରି ପାଇଁ ଲାଇସେନ୍ସ ଓ ଅନେକ ନିୟମ ରହିଛି । କିଛି ବେନାମୀ ପାଣି କମ୍ପାନୀ ଯେ କୌଣସି ଉପାୟରେ ଫ୍ରଡ ଲାଇସେନ୍ସ ହାତେଇ ଦୀର୍ଘ ଦିନ
ଧରି ବେପାର କରୁଛନ୍ତି । ଉକ୍ତ ଥଣ୍ଡା ଜାତୀୟ ପାଣି ବୋତଲ, ପାଣି ପାଉଚ ଗୁଡ଼ିକ କିଛି ଦିନ ରହିଯିବା ପରେ ଗନ୍ଧ ବାହାରୁଥିବା ବେଳେ ତାହା ଅନ୍ୟ ପ୍ରକାରର ସ୍ୱାଦ ହେଉଛି । ଅନ୍ୟପଟେ ଦେଖିବାକୁ ଗଲେ ପାଣି ବୋତଲ ଦାମ ମଧ୍ୟ ଭିନ୍ନ ଭିନ୍ନ କେଉଁଠି ୧୦ଟଙ୍କା ରେ ବିକ୍ରି ହେଉଥିବା ବେଳେ କେଉଁଠି ୨୦ ଟଙ୍କାରେ ମଧ୍ୟ ମନଇଚ୍ଛା ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଏହି କ୍ଷେତ୍ରରେ
ଜଳର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ବୁଦ୍ଧିଜୀବି ଙ୍କ ମହଲରେ ଦାବି ହେଉଛି । ବେଧଡକରେ ଚାଳିଛି ନକଲି
ଥଣ୍ଡା, ପାଣି ବୋତଲ, ପାଣି ପାଉଚ କାରବାର । ଜିଲ୍ଲା ପ୍ରଶାସନ ଏଥି ପ୍ରତି
ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନସଚେତନତା
କରିବା ମଧ୍ୟ ସାଧାରଣ ରେ ଦାବି ଜୋର ଧରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି