

ମାଲକାନଗିରି, ୧୧ ମଇ (ହି.ସ.)- ପିଲା ଚୋରକୁ ଖୁଣ୍ଟରେ ବାନ୍ଧି ପୁଲିସ ଜିମା ଦେଲେ ଗାଁ ଲୋକ | ଏପରି ଏକ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ଏମଭି ୧୧୪ ଗ୍ରାମରେ | ଖବର ପାଇ ଆଜି ସକାଳୁ ମୋଟୁ ପୁଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇଥିବାର ସୂଚନା ମିକିଛି |
ମିଳିଥିବା ସୂଚନା ଅନୁସାରେ, ଏମଭି ୬୦ ଗ୍ରାମର ସୁବ୍ରତ ମଣ୍ଡଳ ନାମକ ଯୁବକ ଏମଭି ୧୧୪ ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଉଥିଲା | ମହିଳା ଓ ଅଭିଯୁକ୍ତ ଜଣକ ଆନ୍ଧ୍ରରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା | କିଛି ଦିନ ହେଲା ମହିଳା ଜଣକ ନିଜ ଗ୍ରାମକୁ ଆସିବାପରେ ଯୁବକ ସହିତ ଆଉ ଯୋଗାଯୋଗରେ ନଥିଲେ | ତେବେ ମହିଳାଙ୍କ ଛୁଆକୁ ଅପହରଣ କରି ନେଇଗଲେ ମହିଳା ଜଣଙ୍କ ଆପେ ଆପେ ତାଙ୍କ ପାଖକୁ ଆସିଯିବ ଭାବି ଆଜି ଭୋର ସମୟରେ ସୁବ୍ରତ ଏମଭି ୧୧୪ ଗ୍ରାମକୁ ଆସି ମହିଳାଙ୍କ ଛୁଆ ବଦଳରେ ପଡ଼ୋଶୀ ଘରର ଜଣେ ଛୁଆକୁ ଅପହରଣ କରି ନେଇଯାଇଥିଲା |
ତେବେ ଗ୍ରାମବାସୀ ଏହା ଜାଣି ପାରି ଚୋରର ପିଛା କରି ଗାଁ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ | ମୋଟୁ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି|
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ