
ଜୟପୁର, ୧୨ ମଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଞ୍ଜା ପଞ୍ଚାୟତ ଚୌପାଡ଼ି ଗ୍ରାମର ରାମ ଘୋଷଙ୍କ ୨୩ ବର୍ଷ ବୟସର ପୁଅ ଭଗବାନ ଘୋଷ ତେଲେଙ୍ଗାନା ଦାଦନ ଯାଇ ମାସେ ହେବ ନିଖୋଜ ଅଛନ୍ତି । ଭଗବାନ ଓ ତାଙ୍କ ପିତା ରାମଚନ୍ଦ୍ର ଘୋଷ ଚୌପାଡ଼ି ଗ୍ରାମର କିଛି ଲୋକଙ୍କ ସହିତ ତେଲେଙ୍ଗାନାର ରାଜମପେଟ ଅଞ୍ଚଳକୁ ଶ୍ରମିକ ଭାବରେ ଦାଦନ ଯାଇଥିଲେ । ସେଠାରେ କିଛି ଦିନ କାମ କଲା ପରେ ସେମାନେ ରହିବା ସ୍ଥାନରୁ ଭଗବାନ କେଉଁ ଆଡେ ଚାଲିଯାଇଥିଲା । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମିଳି ନ ଥିଲା। ଶେଷରେ ରାଜମପେଟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏନେଇ ଖୋଜା ଖୋଜି କରି ପରିବାରକୁ ଜଣାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । କିନ୍ତୁ ମାସେରୁ ଉର୍ଦ୍ଧ୍ଵ ସମୟ ହେବ ନା ପୋଲିସ ତରଫରୁ କିଛି ସୂଚନା ମିଳିଛି ନା ଏମାନଙ୍କୁ ଶ୍ରମିକ ଚାଲାଣ କରୁଥିବା ଖଲ୍ଲିକୋଟ ର କଣ୍ଟ୍ରାକ୍ଟର ପାଖରୁ କିଛି ସୂଚନା ମିଳୁଛି । ଯୁବକ ଜଣକ ଅଶିକ୍ଷିତ ସରଳିଆ ଆଦିବାସୀ। ପେଟ ପାଇଁ ବାହାରକୁ ଯାଇଥିଲା। କିନ୍ତୁ, ବାଟ ଭୁଲି କେଉଁଆଡେ ଚାଲି ଯାଇଛି ନା କେହି ବ୍ୟକ୍ତି ଅପହରଣ କରି ନେଇଯାଇଛି ତାକୁ ନେଇ ସନ୍ଦେହ କରି ବର୍ତ୍ତମାନ ଚିନ୍ତାରେ ଅଛନ୍ତି ତାଙ୍କ ବାପା ରାମ ଘୋଷ । ବାପା ପୁଅଙ୍କ ସହିତ ଯାଇଥିବା ଶ୍ରମିକ ମାନେ ମଧ୍ୟ କାମ ଛାଡି ଗାଁ କୁ ଫେରି ଆସିଲେଣି, କିନ୍ତୁ ପୁଅ ଏ ପର୍ଯ୍ୟନ୍ତ ଘରକୁ ଫେରି ପାରୁନାହିଁ। ପୁଣି ସେପଟେ ନେଇଥିବା ଖଲ୍ଲିକୋଟ ର ଠିକାଦାର ଫୋନ କଲେ ଉଠାଉ ନଥିବାରୁ ଏବଂ ଖୋଜୁ ନଥିବାରୁ ବାପା ଏନେଇ ପୁଅକୁ ଝୁରି ଝୁରି ବାପାଙ୍କ ଅବସ୍ଥା ମଧ୍ୟ ଖରାପ ହେବାକୁ ଲାଗିଲାଣି । ଭଗବାନ ଘୋଷଙ୍କୁ ଖୋଜା ଖୋଜି କରିବାରେ ପ୍ରଶାସନ ହସ୍ତକ୍ଷେପ କରି ଗାଁ କୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି