
ଝାରସୁଗୁଡ଼ା, 12 ମେ (ହି.ସ.) ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ବୃନ୍ଦାମାଲ ବିଜୁ ଏକ୍ସପ୍ରେସ୍ ୱେ ଛକଠାରୁ କେ. କଣ୍ଟାପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରୁ ଗ୍ରାମବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ରାସ୍ତାର ନବୀକରଣ ଓ ସ୍ଥାୟୀ ମରାମତି ପାଇଁ ସେମାନେ ଜିଲା ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।
ସୂଚନା ଅନୁଯାୟୀ, ପ୍ରତିଦିନ କେ. କଣ୍ଟାପାଲି ଗ୍ରାମର ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି। କିନ୍ତୁ ଦୀର୍ଘଦିନ ଧରି ରାସ୍ତାର ମରାମତି କାମ ହୋଇନଥିବାରୁ ପ୍ରାୟ ୪ରୁ ୫ କିଲୋମିଟର ଅଞ୍ଚଳରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ତଦୁପରି ରାସ୍ତାରେ ପଥର ଗୋଡ଼ି ବିଛିନ୍ନ ଭାବେ ପଡ଼ିରହିଥିବାରୁ ଯାତାୟାତ ବିପଦଜନକ ହୋଇପଡ଼ିଛି। ଫଳରେ ପ୍ରାୟସଃ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ବିଶେଷକରି ବର୍ଷା ଋତୁ ଓ ରାତି ସମୟରେ ଏହି ରାସ୍ତା ଦେଇ ଯାତାୟାତ କରିବା ଲୋକମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି। ଏନେଇ ଗ୍ରାମବାସୀମାନେ ବାରମ୍ବାର ଜିଲା ପ୍ରଶାସନଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଅସନ୍ତୋଷ ବଢ଼ିଚାଲିଛି।
ରାସ୍ତାର ଶୀଘ୍ର ନବୀକରଣ ପାଇଁ ଗ୍ରାମର ଅବଧୂତ ପ୍ରଧାନ, ସଭ୍ୟ ପଟେଲ, ଶରତ ସା, ଅମୂଲ୍ୟ ପ୍ରଧାନଙ୍କ ସମେତ ଅନେକ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ