
କନ୍ଧମାଳ, ୧୨ ମଇ (ହି.ସ.)- ନିଶା ସେବନ କରି ଘରକୁ ଫେରିଥିଲେ ବୃଦ୍ଧ ବାପା ତାଙ୍କ ପୁଅ ଏହାକୁ ବାରଣ କରିବାରୁ, କୀଟନାଶକ ପିଇ ଆତ୍ମହତ୍ଯା କରିଛନ୍ତି ବାପା। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡ଼ାବାଙ୍ଗାର ବାଲୁବାଙ୍ଗା ଗାଁ ରେ ଘଟିଥିବା ଏହି ଘଟଣା ଲୋକଙ୍କୁ ଆଚମ୍ବିତ କରିଛି । ସାଧାରଣତଃ ପୁଅ ନିଶା ସେବନ ଭଳି କାର୍ଯ୍ୟ କରି ଅବାଟକୁ ଗଲେ ବାପା ମା ତାକୁ ତାଗିଦ୍ କରନ୍ତି। ହେଲେ ଏଠାରେ ଘଟିଛି ଓଲଟା ଘଟଣା ଯାହାକି ଅଞ୍ଚଳ ବାସୀଙ୍କ ମନକୁ ଦୋହଲାଇ ଦେଇଛି । ମୃତକ ଜଣକ ଉକ୍ତ ଗ୍ରାମର ସୀତାରାମ ନାୟକ (୬୨) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ସୋମବାର ସନ୍ଧ୍ୟାରେ ସୀତାରାମ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ବାପାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ପୁଅ ମୁରଲୀ ନାୟକ ଦେଖି ଏହାକୁ ବିରୋଧ କରିବା ସହ ମଦ ପିଇବାକୁ ବାରଣ କରି ଭଲ ପରାମର୍ଶ ଦେଇଥିଲେ। ଏଥିରେ ବାପା ଉତକ୍ଷିପ୍ତ ହୋଇ କୋବି ଚାଷରେ ପକାଇବାକୁ ଘରେ ରଖାଯାଇଥିବା କୀଟନାଶକକୁ ପିଇ ଦେଇଥିଲେ ବୋଲି ପୁଅ ମୁରଲୀ କହିଛନ୍ତି। ତାଙ୍କୁ ତୁରନ୍ତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟତ୍ର ଅଧିକ ଚିକିତ୍ସା କରିବାକୁ ନେବାକୁ ପରାମର୍ଶ ଦେଇଥିଲେ। ମୁରଲୀ ବାପାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ଅଧାବାଟରେ ବାପାଙ୍କ ମୃତ୍ୟୁ ହୋଇଥିଲା। ସେ ମୃତଦେହ ନେଇ ଦାରିଙ୍ଗବାଡି ଫେରିବା ସହ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଅଭିଯୋଗ ପାଇ ମୃତଦେହ ଜବତ କରିବା ସହ ବ୍ୟବଛେଦ କରାଇବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିବା ସହ ଏକ ଅପମୃତ୍ୟୁ ରୁଜୁ କରିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ