
ଭୁବନେଶ୍ୱର,୧୨ ମଇ (ହି.ସ)- ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ଉର୍ତ୍କଷତା ପାଇଁ ଜାତୀୟ ପୁରସ୍କାର ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରଜତ ଜୟନ୍ତୀ ଅବସରରେ ଓଡ଼ିଶାକୁ ‘କନେକ୍ଟିଙ୍ଗ୍ ମାକ୍ସିମମ୍ ହାବିଟେସସନସ୍ ’ ବର୍ଗରେ ମିଳିଥିବା ଜାତୀୟ ସ୍ୱୀକୃତି ଅତ୍ୟନ୍ତ ଗୌରବର ବିଷୟ। ଓଡ଼ିଶାର ପ୍ରଗତି ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗ ଯୋଗୁଁ ଆଜି ଆମ ରାଜ୍ୟ ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି।
କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଏହି ଗୌରବମୟ ଉପଲବ୍ଧି ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା