ବେଲପାହାଡ଼ ହତ୍ୟାକାଣ୍ଡ : ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର
ଝାରସୁଗୁଡା, ୧୨ ମଇ (ହି.ସ.)- ଚର୍ଚ୍ଚିତ ବେଲପାହାଡ଼ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ମଙ୍ଗଳବାର ସକାଳେ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି। ପୁଲିସ ଦଳ ଉପରେ ଗୁଳିଚାଳନା କରି ପଳାଇବାକୁ ଉଦ୍ୟମ କରିବା ସମୟରେ ପ୍ରତିଗୁଳିଚାଳନାରେ ଉଭୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତମାନେ ହେଲେ ସ
ବେଲପାହାଡ଼ ହତ୍ୟାକାଣ୍ଡ : ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର-୨


ବେଲପାହାଡ଼ ହତ୍ୟାକାଣ୍ଡ : ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର


ଝାରସୁଗୁଡା, ୧୨ ମଇ (ହି.ସ.)- ଚର୍ଚ୍ଚିତ ବେଲପାହାଡ଼ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ମଙ୍ଗଳବାର ସକାଳେ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି। ପୁଲିସ ଦଳ ଉପରେ ଗୁଳିଚାଳନା କରି ପଳାଇବାକୁ ଉଦ୍ୟମ କରିବା ସମୟରେ ପ୍ରତିଗୁଳିଚାଳନାରେ ଉଭୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୌରପାଲି ଅଞ୍ଚଳର ସୁନୀଲ ମହାନନ୍ଦ ଓରଫ ଟାବୁ (୨୨) ଏବଂ ଚାନ୍ଦ ବଞ୍ଛୋର (୨୫)। ଉଭୟଙ୍କ ଗୋଡ଼ରେ ଗୁଳି ଲାଗିଥିବା ବେଳେ ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୋମବାର ଦିନ ବେଲପାହାଡ଼ ନିକଟରେ ଘଟିଥିବା ରୋଡ୍ ରେଜ୍ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା। ଏକ ସ୍ୱିଫ୍ଟ ଡିଜାୟାର କାର ଓ ପ୍ୟାସନ୍ ମୋଟରସାଇକେଲ ମଧ୍ୟରେ ଧକ୍କା ଲାଗିବା ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ଅଭିଯୁକ୍ତମାନେ ରାହୁଲ ମହାତୋ (୨୨)ଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଲଖନପୁର ହସ୍ପିଟାଲକୁ ନେଇଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଆହତ ଯୁବକ ଆକାଶ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂଚନା ଅନୁସାରେ, ସିସିଟିଭି ଫୁଟେଜ୍ ଓ ଟେକ୍ନିକାଲ ସର୍ଭେଲାନ୍ସ ଆଧାରରେ ଘଟଣାରେ ବ୍ୟବହୃତ ଗାଡ଼ିକୁ ଚିହ୍ନଟ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ତିନି ଜଣଙ୍କୁ ଅଟକ ରଖାଯାଇଥିଲା। ଝାରସୁଗୁଡ଼ା ଏସପି ଜି.ଆର୍. ରାଘବେନ୍ଦ୍ର କହିଛନ୍ତି ଯେ, ମଙ୍ଗଳବାର ସକାଳେ ବେଲପାହାଡ଼ ଥାନା ଅଞ୍ଚଳର କାର୍ଲାଖମନ ନିକଟ ଶାଗୁନ ଜଙ୍ଗଲରେ ଦୁଇ ଅଭିଯୁକ୍ତ ଲୁଚିଥିବା ସୂଚନା ମିଳିଥିଲା। ଏହାପରେ ବିଭିନ୍ନ ପୁଲିସ ଟିମ୍ ଗଠନ କରାଯାଇ ଟେକ୍ନିକାଲ ସର୍ଭେଲାନ୍ସ ସହଯୋଗରେ ସେମାନଙ୍କୁ ଟ୍ରାକ୍ କରାଯାଇଥିଲା। ପୁଲିସ ଟିମ୍ ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ପୁଲିସ ଉପରେ ଗୁଳିଚାଳନା କରିଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିବା ଏସପି କହିଛନ୍ତି।

ସୁନୀଲ ମହାନନ୍ଦ ବିରୋଧରେ ପୋକ୍ସୋ, ଚୋରି ଓ ଡକାୟତି ଉଦ୍ୟମ ସମେତ ୫ଟି ମାମଲା ରହିଥିବା ବେଳେ ଚାନ୍ଦ ବଞ୍ଛୋର ବିରୋଧରେ ଚୋରି ଓ ଦଙ୍ଗା ମାମଲା ସହ ୩ଟି ଅପରାଧିକ ମାମଲା ଥିବା ପୁଲିସ କହିଛି।

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶନାରେ ଏହି ଅଭିଯାନ ପରିଚାଳିତ ହୋଇଥିବା ବେଳେ ଆଇନଶୃଙ୍ଖଳାକୁ ଚ୍ୟାଲେଞ୍ଜ କରୁଥିବା ଅସାମାଜିକ ତତ୍ଵଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏସପି ସଚେତନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande