
କେନ୍ଦୁଝର, ୨ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ଓ ପ୍ରତାରଣା ମାମଲାର ବିଚାରଣା କରି ନିଜ ରାୟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିବ ନାଏକ ନାମକ ଯୁବକ କାଞ୍ଜିପାଣି ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଏକ ନାବାଳିକା ଯୁବତୀକୁ ପ୍ରେମ କରୁଥିଲା। ସେ ତାକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲା। କିନ୍ତୁ, ପରେ ତାକୁ ପ୍ରତାରଣା କରି ଆଉ ଏକ ଯୁବତୀକୁ ବାହା ହେବାକୁ ଯାଉଥିଲା। ଏହି ଘଟଣା ଜାଣିବା ପରେ ପୀଡ଼ିତାର ଘର ଲୋକେ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତି କରି ପୋଲିସ ଶିବ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଜିଲ୍ଲା ପୋକ୍ସୋ କୋର୍ଟ ଜଜ୍ ବିଜୟ କୁମାର ମିଶ୍ର ଏହାର ଶୁଣାଣି କରି ଦୋଷୀ ଶିବ ନାଏକକୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ନ୍ୟାୟିକ ପ୍ରାଧୀକରଣକୁ ଆଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA