
ଭୁବନେଶ୍ୱର, ୦୨ ମଇ (ହି.ସ.)- ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିଶନ (ଅମୃତ) ୨.୦ ଅଧୀନରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ନିଜକୁ ସ୍ଥାପିତ କରିଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଂଚଳ ଜଳ ନିରାପତା ଏବଂ ଭିତିଭୂମି ବିକାଶ କ୍ଷେତ୍ରରେ ଏକ ରୂପାନ୍ତରଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।
କ୍ଷେତ୍ରସ୍ତରରେ ସଫଳତା ପ୍ରଦାନ ପାଇଁ ସରକାରଙ୍କ ସ୍ପଷ୍ଟ ରାଜନୈତିକ ପ୍ରତିବଦ୍ଧତା ଯୋଗୁଁ ରାଜ୍ୟର ୮୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ‘ଅମୃତ ୨.୦’ର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରାଯାଇଛି। ସାର୍ବଜନୀନ ଜଳ ଯୋଗାଣ ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଇ ୪,୦୩୦.୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ୩୪୫ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ସମୟାନୁବର୍ତୀ କାର୍ଯ୍ୟ ଏବଂ ଉତରଦାୟିତ୍ୱ ଉପରେ ସରକାର ଦେଉଥିବା ଗୁରୁତ୍ୱର ପ୍ରତିଫଳନ ସ୍ୱରୂପ ୧୦୭ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇସାରିଛି। ବାକି ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ଉଚ୍ଚସ୍ତରରେ ନିୟମିତ ମନିଟରିଂ କରାଯାଉଛି।
ସହର ବିକାଶ କାର୍ଯ୍ୟସୂଚୀରେ ଜଳ ନିରାପତାକୁ ପ୍ରାଥମିକତା ଦେଇ ସରକାର ବାସ୍ତବିକ ଫଳାଫଳ ପ୍ରଦାନ କରିଛନ୍ତି। ୪୩ ଏମ୍.ଏଲ୍ଡି କ୍ଷମତା ବିଶିଷ୍ଟ ସାତଟି ନୂତନ ଜଳ ବିଶୋଧନ ପ୍ଲାଂଟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ପ୍ରାୟ ୨.୮୩ ଲକ୍ଷ ନାଗରିକ ଉପକୃତ ହେଉଛନ୍ତି। ପ୍ରମୁଖ ସହରାଂଚଳରେ ୨୪ଙ୍ଘ୭ ଜଳ ଯୋଗାଣ ବ୍ୟବସ୍ଥା ଏବଂ ୨.୭ ଲକ୍ଷରୁ ଅଧିକ ପରିବାରକୁ ପାଇପ୍ ଯୋଗେ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ୫ ଲକ୍ଷରୁ ଅଧିକ ସହରବାସୀ ନିରାପଦ ପାନୀୟ ଜଳ ପାଇପାରୁଛନ୍ତି, ଯାହା ସାର୍ବଜନୀନ ଜଳ ସଂଯୋଗ ଦିଗରେ ଏକ ବଡ଼ ପଦକ୍ଷେପ।
ସରକାରଙ୍କ ସମାବେଶୀ ଆଭିମୁଖ୍ୟକୁ ଦର୍ଶାଇ ‘ଅମୃତ ମିତ୍ର’ ଏବଂ ‘ୱିମେନ୍ ଫର ଟ୍ରି’ ଭଳି ପଦକ୍ଷେପ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀ ସୃଷ୍ଟି କରାଯାଇଛି। ଏହାଦ୍ୱାରା ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପରିବେଶ ସ୍ଥିରତା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେତୃତ୍ୱ ନେବା ପାଇଁ ସଶକ୍ତ କରାଯାଇଛି। ‘ପେୟ ଜଳ ସର୍ବେକ୍ଷଣ’ ଏବଂ ‘ଜଳ ହିଁ ଅମୃତ’ ଭଳି ଜାତୀୟ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ଦକ୍ଷ ଜଳ ପରିଚାଳନା ଏବଂ ଜଳର ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।
ସଂସ୍କାରମୂଳକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରି ରାଜ୍ୟ ସରକାର ଅଭିନବ ଆର୍ôଥକ କୌଶଳ ମାଧ୍ୟମରେ ସହରାଂଚଳ ରୂପାନ୍ତରଣକୁ ବ୍ୟାପକ କରୁଛନ୍ତି। ‘କ୍ରେଡିଟ୍ ଏନହାନସମେଣ୍ଟ ଇନିସିଏଟିଭ୍’ ଅଧୀନରେ ଛୋଟ ସହରାଂଚଳ ପାଇଁ ୭୦.୨୭ କୋଟି ଟଙ୍କାର ୧୬ଟି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡ଼ିକ ପାଇଁ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ଅଧୀନରେ ୩,୦୩୦.୬୧ କୋଟି ଟଙ୍କାର ପାଂଚଟି ବୃହତ ଭିତିଭୂମି ପ୍ରକଳ୍ପ ଦାଖଲ କରାଯାଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଓଡ଼ିଶାର ଏହି ଜାତୀୟ ସଫଳତା ସରକାରଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ସଠିକ୍ ନୀତି ଏବଂ ସଫଳ କାର୍ଯ୍ୟାନ୍ୱୟନର ପରିଣାମ।
ମନ୍ତ୍ରୀ କହିଛନ୍ତି, “ଏହି ସଫଳତା ସହରୀ ଓଡ଼ିଶାକୁ ଦ୍ରୁତ, ବ୍ୟାପକ ଏବଂ ସ୍ଥାୟୀ ଭାବେ ରୂପାନ୍ତରିତ କରିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ କେବଳ ଯୋଜନା କାର୍ଯ୍ୟକାରୀ କରୁନାହୁଁ, ବରଂ ଏକ ସାମଗ୍ରିକ ସହରାଂଚଳ ଜଳ ବିପ୍ଳବ ଆଣୁଛୁ ଯାହା ପ୍ରତିଟି ପରିବାରକୁ ନିରାପଦ ଏବଂ ନିର୍ଭରଯୋଗ୍ୟ ପାନୀୟ ଜଳ ଯୋଗାଇବା ନିଶ୍ଚିତ କରୁଛି।”
ସେ ଆହୁରି ମଧ୍ୟ କହିଛନ୍ତି, “ଆମର ଲକ୍ଷ୍ୟ ସ୍ପଷ୍ଟ—ସମୟାନୁବର୍ତୀ କାର୍ଯ୍ୟ, ଉତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତିଭୂମି। ଆମେ ଏପରି ସହର ଗଠନ କରୁଛୁ ଯାହା ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ପ୍ରତ୍ୟେକ ନାଗରିକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବ। ‘ବିକଶିତ ଓଡ଼ିଶା’ର ପରିକଳ୍ପନା ଅନୁଯାୟୀ, ଆମ ସରକାର ସହରୀ ରୂପାନ୍ତରଣ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବା ଜାରି ରଖିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା