
ଚମ୍ପୁଆ, ୦୨ ମେ (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ବଡ଼ନଈ ପଂଚାୟତ ପଳଶା ଗ୍ରାମରେ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ପଳସା ଗ୍ରାମର ଉମେଶ ମୁଣ୍ଡା (୨୭) । ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତି ରେ ଉମେଶ ଓ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମଧ୍ୟରେ କଳହ ହୋଇଥିଲା। କଳହ ବାବଦରେ ଉମେଶ ତାଙ୍କ ଭିଣୋଇଙ୍କୁ ଫୋନ କରି ଜଣାଇଥିଲେ। ଆଜି ସକାଳୁ ଇଶ୍ୱର ଉମେଶଙ୍କୁ ଫୋନ୍ କରିଥିଲେ । ତେବେ ଉମେଶ ଙ୍କ ଫୋନ୍ ସୁଇଚ୍ ଅଫ ଥିବାରୁ ସେ ପଳଶା ଗାଁକୁ ଆସି ଉମେଶଙ୍କୁ ଖୋଜାଖୋଜି କରିଥିଲେ। ଉମେଶ ଘର ନିକଟରେ ଏକ ବିଲରେ ମରି ପଡ଼ିଥିବା ଦେଖି ଈଶ୍ୱର ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ୍ ସାଇଂଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପରକୀୟା ପ୍ରୀତିକୁ ନେଇ ଉମେଶଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ରେ ଉମେଶ ଙ୍କ ସ୍ତ୍ରୀ ସୁକାନ୍ତି ଓ ଅନ୍ୟ ଜଣେ ଯୁବକ ଙ୍କ ସମ୍ପୃକ୍ତି ଥିବା ଅନୁମାନ କରି ପୁଲିସ୍ ସୁକାନ୍ତିକୁ ଅଟକ ରଖିଛି। ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ତାଙ୍କୁ ଖୋଜୁଛି । ମୃତକଙ୍କ ଭଉଣୀ ଭିଣୋଇ ଉମେଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta