
ଭଦ୍ରକ, ୨ ମଇ (ହି.ସ.)- ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ କୋଡବରୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ‘ଅନ୍ତର୍ଜାତୀୟ ଶ୍ରମିକ ଦିବସ’ ଉଦଯାପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ, ଏଲ୍ଏଡିଏସ୍ ସହାୟକ ଡ଼ଃ. ତାପସ କୁମାର ମହାନ୍ତି, ସୁବ୍ରତ କୁମାର ଦାସ, ଲିଗାଲ ପ୍ରୋବେସନ ଅଧିକାରୀ ସୁଶାନ୍ତ କୁମାର ତ୍ରିପାଠୀ, ପଞ୍ଚାୟତ କାର୍ଯ୍ୟକାରୀ ଅଧିକାରୀ ସୁଷମା ମହାନ୍ତି, ସରପଞ୍ଚ କୋଡବରୁଆ ପଞ୍ଚାୟତ ଓ ସ୍ୱେଚ୍ଛାସେବୀ ଅର୍ଣ୍ଣପୂର୍ଣ୍ଣା ସାହୁ ଓ ଚାରୁଲତା ବେହେରା ସହିତ ୭୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ।
ଏହି ଅବସରରେ ନାଲସା ଯୋଜନା ଅନ୍ତର୍ଗତ “ସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ଆଇନଗତ ସେବା” ବିଷୟରେ ସଚେତନତା କରାଯାଇଥିଲା। ସେପରି ସର୍ବନିମ୍ନ ମଜୁରୀ ଆଇନ, ଶିଳ୍ପ ବିବାଦ ଆଇନ, କାରଖାନା ଆଇନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଶ୍ରମିକମାନଙ୍କୁ ଜଣାଇ ଦିଆଯାଇଥିଲା। ଏହାସହ ବନ୍ଧନ ଶ୍ରମିକ ପ୍ରଣାଳୀ (ବର୍ଜନ) ଆଇନ, ୧୯୭୬ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
କାର୍ଯ୍ୟକ୍ରମରେ ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିବା ବେଳେ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀମାନେ ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ