
କେନ୍ଦ୍ରାପଡା, ୦୨ ମଇ (ହି.ସ.) କେନ୍ଦ୍ରାପଡା ସାମ୍ବାଦିକମାନଙ୍କ ନ୍ୟାୟୋଚିତ ଦାବି ଭତ୍ତା, ସୁରକ୍ଷା ଓ ସ୍ୱୀକୃତି ପୂରଣ କରିବାରେ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୁପେ ପାଳନ କରିଛି । ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଡାକରାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶତାଧିକ ସାମ୍ବାଦିକ କଳାବ୍ୟାଜ ପରିଧାନ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଆହ୍ୱାନରେ ରାଜ୍ୟର ସବୁ ଜିଲାରେ ସାମ୍ବାଦିକମାନେ ପ୍ରତିପାଦ ଦିବସ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଅନୁରୂପ ଭାବେ ପାଳନ କରାଯାଇଥିଲା । ସରକାର ବିନା ଦାବିରେ ଅନେକ ଯୋଜନା ପ୍ରଣୟନ କରି ଲୋକମାନଙ୍କୁ ହଜାର ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି । ସାମ୍ବାଦିକମାନେ ଝଡ଼ ତୋଫାନରେ ୨୪ ଘଣ୍ଟା ଧରି ଲୋକଙ୍କୁ ସେବା ଯୋଗାଦେଉଥିବା ବେଳେ ସେମାନଙ୍କ ପାଇଁ ସରକାର ଆଖି ବୁଜି ଦେଇଛନ୍ତି । ଦୀର୍ଘଦିନ ଧରି ସାମ୍ବାଦିକମାନଙ୍କୁ ଭତ୍ତା, ସୁରକ୍ଷା ଓ ସ୍ୱୀକୃତି ପ୍ରଦାନ ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ପ୍ରତିଶୁତି ଦେଇ ପ୍ରତାରଣା କରିଛନ୍ତି । ଏହାର ପ୍ରତିବାଦରେ ଓୟୁଜେ ଆଗାମୀ ଦିନରେ ଆନେ୍ଦାଳନକୁ ତିବ୍ରତର କରିବ । ଶ୍ରମିକ ଦିବସରୁ ପ୍ରତିବାଦ ଦିବସ ଆଧାରରେ ଆନେ୍ଦାଳନ ଆରମ୍ଭ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ପରେଶ ଦାସଙ୍କ ନେତୃତ୍ୱରେ ଶତାଧିକ ସାମ୍ବାଦିକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେଇ ଏକ ପ୍ରତିବାଦ ସଭାରେ ଦାବି ଉପସ୍ଥାପନ କରିବା ସହିତ ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିଲେ । ସଂଘ ସାଧାରଣ ସଂପାଦକ ଜଗନ୍ନାଥ ଦାସ ଆନେ୍ଦାଳନ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିବା ବେଳେ ଅକ୍ଷୟ ସାହୁ, ସାବିର ଖାନ୍, ଧୀରେନ୍ଦ୍ର ମିଶ୍ର, ପ୍ରମୋଦ ପ୍ରଧାନ, ସୋମନାଥ ସାହୁ, ଜୋତିର୍ମୟ ଜେନା, ସୁଶାନ୍ତ ଦାଶ, ପରାମର୍ଶଦାତା ବସନ୍ତ କୁମାର ହାତୀ, ପରାମର୍ଶଦାତା ଶ୍ରୀକାନ୍ତ ନାୟକ, ବେଦର୍ତ୍ତା ଅଜୟ ଦାସ, ଖୁର୍ସିଦ ଆଲାମ ଖାନ୍, ସୁକାନ୍ତ ଦାଶ, ସୁବାସ ସାମଲ ପ୍ରତାପ ଲେଙ୍କା, ଆଶୋକ ସ୍ୱାଇଁ, ସଚିକାନ୍ତ ବେହେରା, ଅଲେଖ ପରିଡ଼ା, ଚିତ୍ତରଞ୍ଜନ ଦାସ, ଜଗନ୍ନାଥ ବିଶ୍ୱାଳ,ଦୁର୍ଗାପ୍ରସାଦ ପତି, ଅଭିରାମ ଦାସ, ଶିବ ପ୍ରସାଦ ପରିଜା, ଶ୍ରୀକାନ୍ତ ନାୟକ, ସମୀର ଦାସ, ବରୋଦା ପ୍ରସନ୍ନ କର, ସୁବାସ ସାହୁ, ଅମର ବିଶ୍ୱାଳ, ଇଂ. ମାନସ ମହାନ୍ତି, ଭବାନୀ ଶଙ୍କର ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, ଧରଣୀଧର ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରତିବାଦ ସ୍ଥଳକୁ ଆସି ଏହି ଦାବିପତ୍ରକୁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ । ଧାରଣା ସ୍ଥଳରେ ଅତିଥି ଭାବେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ଓ ସମବାୟବିତ ପ୍ରମୋଦ କୁମାର ସାହୁ ଆସି ସାମ୍ବାଦିକମାନଙ୍କ ଦାବିକୁ ସମର୍ଥକ କରି ସରକାର ଏହି ଦାବିକୁ ତୁରନ୍ତ ପୂରଣ କରିବା ଉଚିତ ବୋଲି କହିଥିଲେ । ବିଧାୟକ ଗଣେଶ୍ୱର ବେହେରା ଭୁବନେଶ୍ୱରରୁ ସମର୍ଥନ କରି ସମର୍ଥନ ବାର୍ତ୍ତା ପଠାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି