
ଜୟପୁର, ୨ ମଇ (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରସ୍ତାବିତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିର କ୍ଷମତା ୩ ମିଲିୟନ୍ ଟନ୍ ପ୍ରତି ବର୍ଷରୁ ୬ ଏମ୍ଟିପିଏକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଏବେ ବୃହତ୍ ଜନ ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀ, ଲୋକପ୍ରତିନିଧି ତଥା ବୁଦ୍ଧିଜୀବୀ ଓ କୋଡିଙ୍ଗାମାଳି ଅଞ୍ଚଳିକ ବିକାଶ ପରିଷଦ ଏବଂ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ସଦସ୍ୟମାନେ ଏହି ବିସ୍ତାର ପ୍ରସ୍ତାବକୁ ଦୃଢ଼ ଭାବେ ବିରୋଧ କରିଛନ୍ତି । ସେମାନଙ୍କ ମତରେ ଅନିୟନ୍ତ୍ରିତ ଖଣି ଖନନ ଅଞ୍ଚଳର ଦୀର୍ଘସ୍ଥାୟୀ ଆର୍ଥିକ ଭବିଷ୍ୟତକୁ ସଙ୍କଟରେ
ପକାଇବ । ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାକୁ ଅଞ୍ଚଳରେ ଦାବି ହୋଇଛି । ଓଡ଼ିଶା ଖଣି ନିଗମ ଦ୍ୱାରା ପରିଚାଳିତ କୋଡିଙ୍ଗାମାଳି ଖଣିରେ ବର୍ତ୍ତମାନ ପ୍ରାୟ ୫୦ ମିଲିୟନ୍ ଟନ୍ ବକ୍ସାଇଟ୍
ମହଜୁଦ ଅଛି । ସମ୍ପ୍ରତି ଓଏମସି ପ୍ରାୟ ୩.୬ ଏମ୍ଟିପିଏ ବକ୍ସାଇଟ୍ ଖନନ କରୁଛି, ଏଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଏକ ଆଲୁମିନିୟମକୁ ଯୋଗାଣ ହେଉଛି । କିନ୍ତୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି । ଉକ୍ତ ଖଣିରୁ ବାର୍ଷିକ ବକ୍ସାଇଟ୍ ଉତ୍ତୋଳନ କ୍ଷମତା ଦ୍ୱିଗୁଣ ହେବା ଦ୍ୱାରା
ଖଣିରେ କଞ୍ଚାମାଲ ଦ୍ରୁତ ଗତିରେ ହ୍ରାସ ପାଇଛି । ଏବଂ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ଖଣି ସମ୍ପୂର୍ଣ୍ଣ ଭାବେ ସରିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର କାନସାରିଗୁଡାରେ ପ୍ରସ୍ତାବିତ ୮,୦୦୦ କୋଟି ଟଙ୍କା ବ୍ୟୟରେ ଆଦିତ୍ୟ ଆଲୁମିନା ରିଫାଇନେରୀକୁ କିଭଳି ଭାବେ କଞ୍ଚାମାଲ ଯୋଗାଣ ହେବ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଓଏମସି ତଥା ରାଜ୍ୟ ସରକାର ଏହି କମ୍ପାନୀ ସହ କୋଡିଙ୍ଗାମାଳି ଖଣିରୁ ୧୫ ବର୍ଷ ପାଇଁ ବକ୍ସାଇଟ୍? ଯୋଗାଣ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି । ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରିଫାଇନେରୀ କାର୍ଯ୍ୟାରମ୍ଭ ହେବା ଆଶା କରାଯାଉଛି । ତେବେ ବର୍ତ୍ତମାନ ସ୍ଥିତିରେ ଖଣି ଖନନ କ୍ଷମତାକୁ ଦ୍ୱିଗୁଣିତ ଅର୍ଥାତ୍ ୬ ଏମଟିପିଏ କରାଗଲେ, ଆଦିତ୍ୟ ଆଲୁମିନା ପାଇଁ କ'ଣ ରହିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି । ଏଭଳି ବୃହତ୍ ପ୍ରକଳ୍ପ ପାଇଁ ଦଶକ ଧରି ନିରନ୍ତର କଞ୍ଚାମାଲ ଆବଶ୍ୟକ ଥିବାବେଳେ ଅନାଶୟ ଖଣି ଖନନ ଯୋଗୁଁ ଏହାର ଆଦିତ୍ୟ ରିଫାଇନେରୀର ଦୀର୍ଘମିୟାଦୀ ସ୍ଥାୟୀତ୍ୱ ପାଇଁ ବିରାଟ ପ୍ରଶ୍ନରେ ସୃଷ୍ଟି ହୋଇଛି । ଅନ୍ୟପଟେ ଗ୍ରାମବାସୀମାନେ
ଖଣି ବିସ୍ତାର ସମ୍ପର୍କିତ ଜନଶୁଣାଣିକୁ ଯାହା ଆସନ୍ତା ମାସ ମେ ୧୬ ରିଖରେ କୋଡିଙ୍ଗାମାଳି ପରିବର୍ତ୍ତେ ରାୟଗଡ଼ାରେ କରିବା ନିଷ୍ପତ୍ତିକୁ ନେଇ ସଂଶୟ ଓ ପ୍ରଶ୍ନ କରିଛନ୍ତି । ପ୍ରଭାବିତ ଅଞ୍ଚଳରୁ ଜନଶୁଣାଣିକୁ କାହିଁକି ସ୍ଥାନାନ୍ତର କରାଯାଉଛି ? କାହାର ସ୍ୱାର୍ଥରେ ଏହା କରାଯାଇଛି ବୋଲି ଅଞ୍ଚଳ ବାସୀ ପ୍ରଶ୍ନ କରିବା ସହିତ ଏହି ଜନ ଶୁଣାଣି ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦାବି କରିଛନ୍ତି । ସ୍ଥାନୀୟ ଲୋକେ ଆଦିତ୍ୟ ଆଲୁମିନା ଦ୍ୱାରା ଅଞ୍ଚଳରେ କରାଯାଉଥିବା ଉନ୍ନୟନମୂଳକ ପ୍ରୟାସକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, କମ୍ପାନୀ ଏପର୍ଯ୍ୟନ୍ତ ୧୦୦ରୁ
ଅଧିକ ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଛି, ୧ ହଜାରରୁ ଅଧିକ ଲୋକଙ୍କୁ ଚାକିରି ସୁଯୋଗ ଦେଇଛି ଓ ୧୪୦ କୋଟି ଟଙ୍କାର ବସ୍ତ୍ର ପ୍ରକଳ୍ପ ଶୁଭାରମ୍ଭ କରିଛି । ଏହାର ପାଞ୍ଚ- ସ୍ତମ୍ଭୀୟ ସିଏସଆର୍ ମଡେଲ୍ ମାଧ୍ୟମରେ କୋଡିଙ୍ଗାମାଳି ଓ ପାର୍ଶ୍ୱସ୍ଥ ଗ୍ରାମର ୧୮ ହଜାରରୁ ଅଧିକ ଲୋକଙ୍କୁ ଲାଭାନ୍ୱିତ
କରାଯାଇଛି । ଯାହା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜୀବିକା ଓ ସମୁଦାୟ ଢାଞ୍ଚାରେ ଉଲ୍ଲେଖନୀୟ ତଥା ଆଖିଦୃଶିଆ ଉନ୍ନତି ଆଣିଛି । ଆମ ପାଇଁ ଖଣି ଖନନ କେବଳ ଆର୍ଥିକ କାର୍ଯ୍ୟକଳାପ ନୁହେଁ; ଏହା ଆମର ଜୀବନ, ମର୍ଯ୍ୟାଦା ଓ ଭବିଷ୍ୟତ ସହ ଜଡିତ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିମାନେ କହିଛନ୍ତି । କୋଡିଙ୍ଗାମାଳିରେ ଦାୟିତ୍ୱପୂର୍ଣ୍ଣ ଭାବେ ଖନନ ହେବା ଆବଶ୍ୟକ, ଯାହା ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଚାକିରି, ଉନ୍ନତି ଓ ସମୃଦ୍ଧି ନିଶ୍ଚିତ କରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ତେଣୁ ରାଜ୍ୟ ସରକାର ଅଞ୍ଚଳ ବାସୀଙ୍କ ଦାବୀକୁ ଗୁରୁତ୍ଵ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି