୨ ଦିନ ହେଲା ମେଗା ଲିଫ୍ଟରୁ ଜଳ ଯୋଗାଣ ବନ୍ଦ, ଧାନ ପାଚିବା ସମୟରେ ଦାଉ ସାଧୁଛି ବିଭାଗ
ମୁଖୀଗୁଡା, ୨ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜରିଆରେ ପାଣି ପାଇ ଧାନ ଚାଷ କରିଥିବା ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବାଦ୍ ପଡ଼ି ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ହଠାତ୍ ଜଳ ଯୋଗାଣ ବନ୍ଦ ହେବା ଚ
୨ ଦିନ ହେଲା ମେଗା ଲିଫ୍ଟରୁ ଜଳ ଯୋଗାଣ ବନ୍ଦ, ଧାନ ପାଚିବା ସମୟରେ ଦାଉ ସାଧୁଛି ବିଭାଗ


ମୁଖୀଗୁଡା, ୨ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜରିଆରେ ପାଣି ପାଇ ଧାନ ଚାଷ କରିଥିବା ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବାଦ୍ ପଡ଼ି ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ହଠାତ୍ ଜଳ ଯୋଗାଣ ବନ୍ଦ ହେବା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ହେଲା ମଙ୍ଗଳପୁରସ୍ଥିତ ମେଗା ଲିଫ୍ଟ କେନାଲରେ ପାଣି ବନ୍ଦ ରହିଛି। ବର୍ତ୍ତମାନ ରବି ଧାନ ଫସଲ ଅମଳ ସମୟ ପାଖେଇ ଆସୁଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ପାଣି ନମିଳିବା ଫସଲ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କ ସହ ଯୋଗାଯୋଗ କରିବାରୁ, କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ସମସ୍ୟା ଉପୁଜିଛି ଆସନ୍ତା ଦୁଇ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରି ଜଳ ଯୋଗାଣ ସ୍ୱାଭାବିକ କରାଯିବ ଏବଂ ମଇ୧୦ ତାରିଖ ପର୍ଯ୍ୟନ୍ତ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ମାଧ୍ୟମରେ ଚଳିତ ରବି ଋତୁରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ୧୮,୮୮୫ ହେକ୍ଟର ଜମିରେ ଜଳ ଯୋଗାଣ ହୋଇଥିବା ବେଳେ ପ୍ରାୟ ୧୫ ହଜାର ଚାଷୀ ଚାଷ କାର୍ଯ୍ୟ କରିଛନ୍ତି। ବିନା ବାଧାରେ ଜଳ ଯୋଗାଣ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୮ଟି ପମ୍ପ ରହିଛି । କିନ୍ତୁ, କେଉଁ ମେସିନ ଫେଲ ମାରିଛି ଆଉ ଦରକାର ସମୟରେ ଜଳ ଯୋଗାଣ ଠପ୍ ହୋଇଛି ତାହାର ଉତ୍ତର ଦେବାକୁ କେହି ନାହିଁ। ଅନ୍ୟପକ୍ଷରେ ଏହି କେନାଲର ପାଣି ପାଇ ଧାନ ଚାଷ କରିଥିବା ଚାଷୀ ଧାନ ବିକ୍ରି ପାଇଁ ସରକାରୀ ପଞ୍ଜିକରଣରୁ ବାଦ୍ ପଡ଼ିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଧର୍ମଗଡ଼ ଓ ଲାଞ୍ଜିଗଡ଼ ବିଧାୟକ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି। ଫଳରେ କଷ୍ଟ ଅର୍ଜିତ ଫସଲକୁ କେଉଁଠି ବିକ୍ରି କରିବେ, ସେ ନେଇ ଚାଷୀକୁଳ ନିରାଶ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ମରାମତି କାର୍ଯ୍ୟ ଶେଷ କରି ଜଳ ଯୋଗାଣ ସ୍ୱାଭାବିକ କରିବା ସହ ପଞ୍ଜିକରଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଯଦି ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଧରଣର ଜନ ଆନ୍ଦୋଳନର ରୂପ ନେଇପାରେ ବୋଲି ଚେତାବନୀ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande