
କେନ୍ଦ୍ରାପଡା, ୦୨ ମଇ (ହି.ସ.) ନୂତନ ଶିକ୍ଷା ଆଇନ -୨୦୨୦ ଅନ୍ତର୍ଗତ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ନିମନ୍ତେ ରହିଥିବା ଇଣ୍ଟର୍ନସିପ୍ ନିମନ୍ତେ ପୁନର୍ବାସ ପକ୍ଷରୁ “ଭିନ୍ନକ୍ଷମତା ଅଧ୍ୟୟନ” ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଚଳିତବର୍ଷ କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ,ଇଂରାଜୀ,ଓଡ଼ିଆ ତଥା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଭିନ୍ନକ୍ଷମତା ସମ୍ପର୍କିତ ଏକ ସଚେତନତାତ୍ମକ ଅବଧାରଣା ନିମନ୍ତେ ଏହି ଷାଠିଏ ଘଣ୍ଟା ସଂକ୍ଷିପ୍ତ ଅବଧିର କାର୍ୟ୍ୟସୂଚୀ ମଧ୍ୟରେ ଭିନ୍ନକ୍ଷମତା ସମ୍ପର୍କିତ ସୂଚନା,ତଥ୍ୟ,ପ୍ରକାର ଓ ଆଇନଗତ ଦିଗଗୁଡ଼ିକ ସମ୍ପର୍କରେ ବିଷୟଗତ ଶିକ୍ଷାଦାନ ସହିତ ଅତିଥି ବିଶେଷଜ୍ଞମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଉଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭିନ୍ନକ୍ଷମତାକୁ ନେଇ ଏକ ସକାରାତ୍ମକ ବଳିଷ୍ଠ ଧାରଣା ତିଆରି ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବିଭିନ୍ନ ସଫଳ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ାରେ ଜନ୍ମିତ ସଫଳ ଜାତୀୟ ପାରାସନ୍ତରଣକାରୀ ତଥା ଆନ୍ତର୍ଜାତୀୟ ପାରାସେଲର୍ ମୋନାଲି ସ୍ୱାଇଁ ଯୋଗ ଦେଇ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ ଉପସ୍ଥାପିତ କରିଥିଲେ । ଅପୂର୍ଣ୍ଣଶରୀର ଧରି ଜନ୍ମିତ ହେତୁ କିପରି ପରିବାର ଓ ସମାଜର ଦୃଷ୍ଟିକୋଣ ନକାରାତ୍ମକ ରହିଥିଲା ଓ କିପରି ସେ ସମାଜର ସେହି ମାନସିକତା ଓ ବିରୋଧକୁ ବେଖାତିର କରି ନିଜକୁ ସଫଳ ପ୍ରତିପାଦନ କରି ପାରିଛନ୍ତି,ତାହା ବର୍ଣ୍ଣନା କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ସହ ତାଙ୍କର ଭାବ ବିନିମୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁନର୍ବାସର ମୂଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ ସହ ସମ୍ପାଦକ ବଂଶୀଧର ମହାନ୍ତି,ଇଣ୍ଟର୍ନସିପ୍ ପ୍ରୋଗ୍ରାମର ସହକାରୀ ପର୍ଶୁରାମ ତ୍ରିପାଠୀ ଓ କେଦାରନାଥ ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି