
ଝାରସୁଗୁଡ଼ା, ୨୨ ମଇ (ହି.ସ.)- ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଦେଇ ହାଇଦ୍ରାବାଦ–ଝାରସୁଗୁଡ଼ା–ଭୁବନେଶ୍ୱର ମଧ୍ୟରେ ଷ୍ଟାର୍ ଏୟାରର ବିମାନ ସେବା ପୁଣିଥରେ ଆରମ୍ଭ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଗୁରୁବାର ଏହି ସେକ୍ଟରରେ ବିମାନ ଚଳାଚଳର ଶୁଭାରମ୍ଭ ହୋଇଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ସକାଳ ୮ଟା ୪୦ରେ ହାଇଦ୍ରାବାଦରୁ ଉଡ଼ାଣ ଭରିଥିବା ବିମାନ ପୂର୍ବାହ୍ନ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲା। ପରେ ପୂର୍ବାହ୍ନ ୧୧ଟା ୧୦ରେ ଝାରସୁଗୁଡ଼ାରୁ ଉଡ଼ି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟାହ୍ନ ୧୨ଟାରେ ପହଞ୍ଚିଥିଲା। ସେହିପରି ଭୁବନେଶ୍ୱରରୁ ମଧ୍ୟାହ୍ନ ୧୨ଟା ୩୦ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ୧ଟା ୨୦ରେ ଅବତରଣ କରିଥିଲା। ପରବର୍ତ୍ତୀରେ ଅପରାହ୍ନ ୧ଟା ୫୦ରେ ବିମାନଟି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା।
ବିମାନ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ଏହି ରୁଟ୍ ରେ ବିମାନ ସେବା ଜାରି ରହିବ। ପୂର୍ବରୁ ଏହି ସେକ୍ଟରରେ ସେବା ଚାଲୁଥିଲେ ମଧ୍ୟ କିଛି କାରଣବଶତଃ ସାମୟିକ ଭାବେ ବନ୍ଦ ରହିଥିଲା। ଏବେ ପୁଣିଥରେ ସେବା ଆରମ୍ଭ ହୋଇଥିବାରୁ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ