
କନ୍ଧମାଳ, ୨୨ ମଇ (ହି.ସ.)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷି ବିଭାଗ, କନ୍ଧମାଳଙ୍କ ମିଳିତ ସହଯୋଗରେ ଚକାପାଦ ବ୍ଲକ୍ ପସରା ଗ୍ରାମପଞ୍ଚାୟତ ସ୍ଥିତ ରାଇପଦା ଠାରେ ଧନିଚା ଓ ଡାଲି ଜାତୀୟ ଫସଲ ମାଟିରେ ଯବକ୍ଷାରଜାନ ବଢାଇଥାଏ ଶିର୍ଷକ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଚକାପାଦ ବ୍ଲକ୍ ସହାୟକ କୃଷି ଅଧିକାରି ଶିବାନୀ ପ୍ରଧାନ, ବ୍ଲକ୍ ବୈଷୟିକ ପରିଚାଳକ ରାଧେ ରମଣ ଶର୍ମା ଓ ପସରା କୃଷି ପରିଦର୍ଶିକା ସୁଭଦ୍ରା ଭୂୟାଁ ଯୋଗଦେଇ ବିଭିନ୍ନ ଚାଷ କାର୍ଯ୍ୟ ପାଇଁ ଚାଷୀର ମନବଳ ଓ ସାଧନାର ଆବଶ୍ୟକତା ବିଷୟରେ କହିବା ସହିତ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ବିଭିନ୍ନ ଡାଲି ଯାତୀୟ ଫସଲ ଅମଳ କରି ହେବ ତାହା ଉପସ୍ଥାପନା କରିଥିଲେ । ଏହି ଡାଲି ଜାତୀୟ ଫସଲ ଗୁଡିକୁ ଅଧିକ ଦିନ ଘରେ ସାଇତି ରଖାଯାଇ ପାରିବ ଓ ପରବର୍ତୀ ସମୟରେ ଚାଷୀ ଚାହିଁଲେ ଅଧିକ ଦରରେ ମଧ୍ୟ ବିକ୍ରି କରି ନିଜର ରୋଜଗାର ବଢାଇ ପାରିବ । ଏଥି ସହିତ ଏହି ଡାଲି ଜାତୀୟ ଫସଲ ଚାଷ ଜମିକୁ ଅଧିକ ଯବକ୍ଷାରଜାନ ଯୋଗାଇଥାଏ ଯାହା ଜମିକୁ ଉର୍ବର କରିବାରେ ସହାଯ୍ୟ କରେ ଏବଂ ପରବର୍ତୀ ଫସଲରେ କମ୍ ସାରର ଆବଶ୍ୟକତା ପଡିଥାଏ । ଏହା ସଙ୍ଗେ ସଙ୍ଗେ ଗୋଟିଏ ଜମିରୁ ଦୁଇଟି ଫସଲ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ରାଇକିଆ ବ୍ଲକ୍ ର ଇନ୍ଦ୍ରଗଡ ପଂଚାୟତ ବଗେଜୁ ଠାରେ ଏକ ଦିନିକିଆ କୃଷକ ତାଲିମ କାର୍ଯ୍ୟକ୍ରମ କରାଯାଇ ଚାଷୀ ମାନଙ୍କୁ ବିରି ଓ ଧଳା ମଟର ଚାଷ ସଂପର୍କରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିରି ଓ ମଟର ଚାଷର ଫାଇଦା ବିଷୟରେ ଉପସ୍ଥାପନା କରାଯାଇ ଦେଖାଯାଇଥିଲା ଯେ, ମଟର ଚାଷ ପରିବାର ପାଇଁ ଖାଦ୍ୟ ସୁରକ୍ଷା ହିସାବରେ ମଧ୍ୟ ସହଯୋଗ କରିଥାଏ । କାର୍ଯ୍ୟକ୍ରମରେ ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
ଏହି ତାଲିମରେ ସ୍ଥାନୀୟ ଅଂଚଳରୁ ବହୁ ମହିଳା ଓ ପୁରୁଷ ଚାଷୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ଓ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ହୃଷିକେଶ ଅମାୟତ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ