
ଜୟପୁର, ୨୨ ମଇ (ହି.ସ.)-୧୫ ଓଡ଼ିଶା ବ୍ୟାଟାଲିୟନ୍ ଏନ୍.ସି.ସି., ଜୟପୁର ଦ୍ୱାରା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଚାଲୁଥିବା ଏ.ଟି.ସି. କ୍ୟାମ୍ପରେ ବି.ଏସ୍.ଏଫ୍. କୋରାପୁଟ ପକ୍ଷରୁ ଏକ ଅସ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବି.ଏସ୍.ଏଫ୍ ର ଉପ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଅଧିକାରୀ ଓ ଯବାନମାନେ ଯୋଗଦେଇ କ୍ୟାଡେଟମାନଙ୍କୁ ସୁରକ୍ଷା ବାହିନୀର କାର୍ଯ୍ୟ ପ୍ରଣାଳୀ ଓ ବିଭିନ୍ନ ସୁରକ୍ଷା ସାମଗ୍ରୀ ସମ୍ପର୍କରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ ଦେଶର ସୀମା ସୁରକ୍ଷାରେ ବି.ଏସ୍.ଏଫ୍ ର ଭୂମିକା, ଶୃଙ୍ଖଳା, ସାହସ ଓ ଜାତିସେବାର ମହତ୍ତ୍ୱ ବିଷୟରେ କ୍ୟାଡେଟମାନଙ୍କୁ ଜଣାଇ ଦିଆଯାଇଥିଲା। ସୁରକ୍ଷା ଓ ସଚେତନତା ଉପରେ ଆଧାରିତ ଏହି ପ୍ରଦର୍ଶନୀ କ୍ୟାଡେଟମାନଙ୍କ ମନରେ ଦେଶପ୍ରେମ ଓ ସୁରକ୍ଷା ବାହିନୀ ପ୍ରତି ସମ୍ମାନବୋଧ ବୃଦ୍ଧି କରିଥିଲା।ଏହି ଅବସରରେ ଏନ୍.ସି.ସି. ଅଧିକାରୀ, ଏ.ଏନ୍.ଓ., ପି.ଆଇ. ଷ୍ଟାଫ୍ ଓ ବହୁ ସଂଖ୍ୟକ କ୍ୟାଡେଟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି