
ଚମ୍ପୁଆ, 22 ମେ (ହି.ସ) .ବିଭାଗୀୟ କର୍ମଚାରୀ ଏବଂ ଅଧିକାରୀମାନଙ୍କ ଅବହେଳା ପାଇଁ ପାନୀୟ ଜଳ ଯୋଗାଣ ଏକ ପ୍ରହସନରେ ପରିଣତ ହୋଇଛି। ପ୍ରତ୍ୟେକ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତିପଞ୍ଚାୟତରେ ବସୁଧା ପାଣି ଟାଙ୍କି ନିର୍ମାଣ କରିଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ଟୋପାଏ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶୀପାଳ ପଞ୍ଚାୟତ କାଶୀପାଳ ଗ୍ରାମର ନୂଆସାହି, ଶଙ୍ଖାସାହି ଓ ବଣସାହିରେ। ଏହି ତିନୋଟି ସାହିରେ ଥିବା ଶତାଧିକ ପରିବାରକୁ ଗୁଳୁଦୀପସୀ ଗ୍ରାମରେ ଥିବା ପାଣିଟାଙ୍କିରୁ ପାଣି ଯୋଗାଣ ନିମନ୍ତେ ପାଇପ ସଂଯୋଗ ହୋଇଛି। ପାଇପ ସଂଯୋଗ ହେବା ପରେ କିଛି ଦିନ ପାଣି ମଧ୍ୟ ଠିକଠାକ ଚାଲିଥିଲା। କିନ୍ତୁ ଗତ ପ୍ରାୟ ୭ମାସରୁ ଉର୍ଦ୍ଧ ହେବ ପାଣି ଯୋଗାଣ ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯିବାରୁ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ସାହି ବାସିନ୍ଦା। ପାଣି ସଂଯୋଗ ବିଛିନ୍ନ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ମଚାରୀ କିମ୍ବା ଅଧିକାରୀ କେହି ଗୁରୁତ୍ବ ଦେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପାଣି ଯୋଗାଣ ବନ୍ଦ ହେବା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିନି ସାହି ବାସୀନ୍ଦା। ଏହି ନୂଆସାହିରେ ପ୍ରାୟ ୧୦୦ପରିବାର, ଶଙ୍ଖାସାହିରେ ୬୦ପରିବାର ଓ ବଣସାହିରେ ପ୍ରାୟ ୧୦ପରିବାର ପାଣି ଯୋଗାଣରୁ ବଞ୍ଚିତ ହେବା ଫଳରେ ପିଇବା ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସାହିର ପାଣି ସମସ୍ୟା ଦୂର କରିବାକୁ ଦାବୀ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta