
ଚମ୍ପୁଆ, 22 ମେ (ହି.ସ.): ଚମ୍ପୁଆ ବ୍ଲକରେ କୃଷି ବିଭାଗ ପକ୍ଷରୁ ପଞ୍ଜିକରଣ ଶିବିର ଆୟୋଜନ କରାଯାଉଅଛି । ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦଫାରେ ବିଭାଗୀୟ କର୍ମକର୍ତ୍ତାଙ୍କ ଜରିଆରେ ଏହି ଶିବିର ଅନୁଷ୍ଠିତ ହେଉଅଛି । ୧୩୭ ଗୋଟି ଗ୍ରାମର ପ୍ରାୟ ୬୪୫୨ ଜଣ ଚାଷୀଙ୍କର ପଞ୍ଜିକରଣ କରାଯାଇଛି । ଗ୍ରାମପଞ୍ଚାୟତ ସ୍ତରରେ କୃଷି ବିଭାଗ କାର୍ଯ୍ୟକର୍ତ୍ତା ଏଓ, ଗ୍ରାମ୍ୟ କୃଷିକର୍ମଚାରୀ ପ୍ରତ୍ୟେକ ଗ୍ରାମକୁ ଯାଇ ଏହି ପଞ୍ଜିକରଣ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ସାରଦା ହାଁସଦା, ସହକାରୀ ବ୍ଲକ କୃଷି ଅଧିକାରୀ ରମାମଣୀ ସାହୁ, କୃଷି ଅଧିଦର୍ଶକ ଚିତ୍ତରଞ୍ଜନ ସାହୁ, କ୍ଷୀରୋଦିନୀ କିଷାନ, ଅଜିତ ସେଠୀ, ମନସ୍ୱିନୀ ବେହେରା, ଜାମିନୀ ନାଏକ, ପଦ୍ମିନୀ ନାଏକ ପ୍ରମୁଖ କାର୍ଯ୍ୟକର୍ତ୍ତା ଗାଁକୁ ଗାଁ ବୁଲି ଏହି ପଞ୍ଜିକରଣ କାର୍ଯ୍ୟକ୍ରମ ସମ୍ପାଦନ କରୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କର ବିକାଶ ନିମନ୍ତେ ଯେଉଁ ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡିକ କିପରି ଲୋକଙ୍କ ନିକଟରେ ପହଞ୍ଚିବ ତାହା ଏହି ଯୋଜନାର ପ୍ରାର୍ଥମିକତା । ଏତଦ୍ ବ୍ୟତୀତ ଲୋକମାନଙ୍କର ଏକ ତଥ୍ୟାବଳୀ ଆଧାର ଓ ଜମିଜମା ମାଲିକାନାର ସଠିକ ତଥ୍ୟ ସଂଗୃହିତ କରାଯାଇ ଏକକ କୃଷକ ପରିଚୟ ସଂଖ୍ୟା ପ୍ରଦାନ କରାଯିବ । ଏହା ସଠିକ ଭାବରେ ଯୋଗ୍ୟ ହିତାଧିକାରୀ ଚୟନରେ ସାହାଯ୍ୟ କରିବ । ଚାଷୀମାନେ ପି.ଏମ. କିଷାନ, ସି.ଏମ କିଷାନ ଆଦି ଯୋଜନାରେ ହିତାଧିକାରୀ ଚୟନ କିଷାନ କ୍ରେଡିଟ କାର୍ଡର ବ୍ୟବହାର ସାରକ୍ରୟ ଆଦି ଯୋଜନାର ଲାଭ ସିଧା ସଳଖ ଚାଷୀ ପାଇପାରିବେ । ପଞ୍ଜିକରଣ ନିକଟସ୍ଥ ଜନସେବା ବା ଗ୍ରାମ୍ୟ କୃଷିକର୍ମଚାରୀଙ୍କ ଜରିଆରେ ଏହା କରାଯାଉଅଛି । ଲୋକମାନେ ଏହାର ଫାଇଦା ନେବାକୁ ସଚେତନ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta