
ଝାରସୁଗୁଡ଼ା, ୨୨ ମଇ (ହି.ସ.)- ଓଡ଼ିଶା ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ହିତାଧିକାରୀଙ୍କୁ ଅତି ସହଜ, ସ୍ୱଚ୍ଛ ଏବଂ ଉନ୍ନତ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଇବା ପାଇଁ ଝାରସୁଗୁଡ଼ାଠାରେ ଲୋକାର୍ପିତ ହୋଇଯାଇଛି ପ୍ରଯୁକ୍ତିବିଦ୍ୟା ଆଧାରିତ ‘ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ । ଏହା ଓଡ଼ିଶାର ଦ୍ଵିତୀୟ ଏବଂ ସମଗ୍ର ଭାରତ ବର୍ଷର ତୃତୀୟ ଗ୍ରେନ୍ ଏଟିଏମ୍। ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଗୌରବମୟ ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଭାରତର ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଉପ-ନିର୍ଦ୍ଦେଶିକା ନୋଜୋମି ହାସିମୋଟୋ, ହିଂମାଶୁ ବଳ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ମୁଖ୍ୟ, କ୍ଷେତ୍ରୀୟ କାର୍ଯ୍ୟାଳୟ, ଓଡ଼ିଶା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ଓଡ଼ିଶାର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ସଫଳତା ମିଳିଛି। ରାଜ୍ୟର ପ୍ରତିଟି ଗରିବ ଓ ନିଷ୍ପେଷିତ ଲୋକଙ୍କ ଗର୍ବ ଏବଂ ସମ୍ମାନ ରକ୍ଷା କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଖାଦ୍ୟ ବିନା ଯେମିତି କାହାରି ପେଟ ଉପାସ ନ ରହେ, ସେଥିପାଇଁ ଆମେ ସଂକଳ୍ପବଦ୍ଧ। ଏହି କ୍ରମରେ ରାଜ୍ୟ ସରକାରଙ୍କ ଏକ ବଡ଼ ଉପଲବ୍ଧି ସ୍ୱରୂପ ଏବେ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୧୦ କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଛି। ଏଥିସହିତ 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ମାଧ୍ୟମରେ ଆହୁରି ଅଧିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଛି, ଯାହା ଗରିବ ପରିବାର ଗୁଡ଼ିକୁ ଆର୍ଥିକ ଓ ସାମାଜିକ ସ୍ତରରେ ବେଶ୍ ସମୃଦ୍ଧ କରିବ।
ମନ୍ତ୍ରୀ ଶ୍ରୀ ପାତ୍ର ଆଗାମୀ ଦିନର ରୋଡ୍ ମ୍ୟାପ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ହିତାଧିକାରୀମାନଙ୍କୁ ଯେପରି କୌଣସି ଅନାବଶ୍ୟକ ଶ୍ରମ କିମ୍ବା ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ିବ, ସେଥିପାଇଁ ଖୁବ୍ଶୀଘ୍ର ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ମଧ୍ୟ ଏହି ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ। ଏହି ଯୋଜନା ଅଧୀନରେ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ୫୫ଟି ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶାର ଇତିହାସରେ ଏକଦା ଆମେ 'ନଅଙ୍କ ଦୁର୍ଭିକ୍ଷ' ଭଳି ଭୟଙ୍କର ସମୟର ସାମ୍ନା କରିଛୁ। ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମ ଓଡ଼ିଆ ଜାତି ବହୁ କଷ୍ଟ ଭୋଗିଛି। କିନ୍ତୁ ଆଜି ସମୟ ବଦଳିଛି। ଆମ ସରକାରଙ୍କ ସଂକଳ୍ପ ହେଉଛି—ଓଡ଼ିଆ ଜାତିର ପ୍ରତିଟି ଲୋକ ଯେମିତି ଦୁଇ ମୁଠା ଖାଇବାକୁ ପାଆନ୍ତୁ, ସମସ୍ତଙ୍କ ପେଟ ପୂରୁ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ହେଉ। ସରକାରଙ୍କ ଏହି ନୂତନ ଜନକଲ୍ୟାଣକାରୀ ପଦକ୍ଷେପ ଏବଂ ଖାଦ୍ୟ ଯୋଗାଣ ବିଭାଗର ପ୍ରୟାସ ସତରେ ଅତ୍ୟନ୍ତ ପ୍ରଶଂସନୀୟ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ତାଙ୍କ ବିଭାଗ ଯେଭଳି ସକ୍ରିୟ ଭାବେ ଚାଷୀ ଏବଂ ଗରିବ ଲୋକଙ୍କ ପାଇଁ କାମ କରୁଛନ୍ତି, ତାହା ସ୍ୱାଗତଯୋଗ୍ୟ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଆରମ୍ଭକୁ ନେଇ ସରକାରଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମନ୍ତ୍ରୀଙ୍କ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ପଦକ୍ଷେପ ସ୍ୱରୂପ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲିଥିବା ବିକାଶର ସୁଫଳ ଆଜି ଝାରସୁଗୁଡ଼ା ଲୋକଙ୍କୁ ମିଳୁଛି। ରାଜ୍ୟର ଦ୍ୱିତୀୟ ଗ୍ରେନ୍ ଏଟିଏମ୍ ଭାବେ ଆମ ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଁ ସରକାର ଓ ଖାଦ୍ୟ ଯୋଗାଣ ବିଭାଗ ନିକଟରେ କୃତଜ୍ଞ। ମୋ ନିର୍ବାଚନ ମଣ୍ଡଳୀର ମା'-ଭଉଣୀ ଏବଂ ଗରିବ ଶ୍ରମିକ ଶ୍ରେଣୀର ଲୋକମାନେ ଯେପରି କୌଣସି ଅସୁବିଧା ନଭୋଗି ଅତି ସମ୍ମାନର ସହ ସେମାନଙ୍କର ହକ୍ ପାଇପାରିବେ, ତାହା ମୋର ସବୁଠାରୁ ବଡ଼ ପ୍ରାଥମିକତା। ଏହି ଅବସରରେ ମୁଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଅନୁରୋଧ କରୁଛି ଯେ, ଜିଲ୍ଲାର ସୁଦୂର ଗ୍ରାମାଞ୍ଚଳ ବିଶେଷ କରି 'ଲଇକେରା ବ୍ଲକ' ର ଜନସାଧାରଣଙ୍କ ସୁବିଧା ପାଇଁ ସେଠାରେ ଖୁବ୍ଶୀଘ୍ର ଆଉ ଏକ ନୂତନ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ସ୍ଥାପନ କରାଯାଉ।
ଏହି ବିଶେଷ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତରେ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଉପ-ନିର୍ଦ୍ଦେଶିକା ନୋଜୋମି ହାସିମୋଟୋ ଓଡ଼ିଶା ସରକାରଙ୍କ ସହ ଏହି ଭାଗିଦାରୀକୁ ଉଚ୍ଚ ପ୍ରଶଂସା କରିବା ସହ ବିଶ୍ୱ ସ୍ତରରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ ଝାରସୁଗୁଡ଼ାରେ ଏହି ଦ୍ୱିତୀୟ 'ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍'ର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଏହି ପ୍ରକଳ୍ପ ହେଉଛି ପ୍ରଯୁକ୍ତିବିଦ୍ୟା, ଦୂରଦୃଷ୍ଟିସମ୍ପନ୍ନ ସୁଶାସନ ଏବଂ ମାନବୀୟ ସେବାର ଏକ ଅପୂର୍ବ ସମନ୍ୱୟ। ଭୁବନେଶ୍ୱରରେ ଏହାର ସଫଳତା ପରେ ଓଡ଼ିଶା ସରକାର ଯେଭଳି ଭାବେ ଏହି ବ୍ୟବସ୍ଥାକୁ ଅନ୍ୟ ଜିଲ୍ଲା ଗୁଡ଼ିକୁ ସମ୍ପ୍ରସାରଣ କରୁଛନ୍ତି, ତାହା ପ୍ରଶଂସନୀୟ। ଭାରତର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦ୍ରୁତ କରିବା ପାଇଁ ଏହା ଏକ ବିପ୍ଳବୀ ପଦକ୍ଷେପ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଜିଲ୍ଲାରେ ଏହି ପ୍ରକଳ୍ପର ସୁଫଳ ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସରବାହାଲ ଅଞ୍ଚଳର ହିତାଧିକାରୀ ୪୧ ବର୍ଷୀୟା ସ୍ୱାଗତିକା ବେହେରା କହିଛନ୍ତି, ଆଜି ମୁଁ ଏହି ଏଟିଏମ୍ ମାଧ୍ୟମରେ ମୋର ୧୫ କିଲୋଗ୍ରାମ ଚାଉଳ ଅତି ସହଜରେ ପାଇଲି। ପୂର୍ବରୁ ଆମକୁ ଡିଲରଙ୍କ ପାଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଆମ ଭଳି ମହିଳାମାନେ ଘରକରଣା, ପିଲାଙ୍କ ପାଠପଢ଼ା ଏବଂ ନିଜର କର୍ତ୍ତବ୍ୟ ମଧ୍ୟରେ ଅନେକ ବ୍ୟସ୍ତ ରହୁ, ତେଣୁ ସମୟର ଅଭାବ ଅନୁଭବ ହୁଏ। କିନ୍ତୁ, ବର୍ତ୍ତମାନ ଏହି ବ୍ୟବସ୍ଥା ଯୋଗୁଁ ଆମେ ଆମର ସୁବିଧା ଅନୁସାରେ ଯେକୌଣସି ସମୟରେ ଆସି ଖାଦ୍ୟଶସ୍ୟ ନେଇପାରିବୁ। ଏହା ଆମ ପାଇଁ ବହୁତ ବଡ଼ ସୁବିଧା ହୋଇଛି। ଯଦି ଏହିଭଳି ଏଟିଏମ୍ ଗୁଡ଼ିକ ଆମ ଅଞ୍ଚଳର ଆହୁରି ପାଖାପାଖି ସ୍ଥାନରେ ଖୋଲିବ, ତେବେ ଆମ ପରି ମହିଳାମାନେ ଅଧିକ ଉପକୃତ ହେବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରାୟ ୮୧୩ ନିୟୁତ ଲୋକଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଏହି ପ୍ରକ୍ରିୟାକୁ ଆହୁରି ସ୍ୱଚ୍ଛ, ଦ୍ରୁତ ଏବଂ ଜାଲିଆତିମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଏହି 'ଅନ୍ନପୂର୍ତ୍ତି' ଗ୍ରେନ୍ ଏଟିଏମ୍ ପରିକଳ୍ପନା ଓ ବିକାଶ କରାଯାଇଛି। ଭାରତ ସରକାର ଏହି ମଡେଲକୁ ଜାତୀୟ ସ୍ତରର ପି ଡି ଏସ ସଂସ୍କାର ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ସଫଳତା ପରେ ଓଡ଼ିଶା ସରକାର ଏହାକୁ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ସମ୍ପ୍ରସାରଣ କରିବା ପାଇଁ ଯୋଜନା କରିଛନ୍ତି।
ଏହି 'ଗ୍ରେନ୍ ଏଟିଏମ୍' ବ୍ୟାଙ୍କ ଏଟିଏମ୍ ଶୈଳୀରେ କାର୍ଯ୍ୟ କରୁଥିବା ଏକ ସ୍ୱୟଂଚାଳିତ, ସେଲ୍ଫ-ସର୍ଭିସ୍ ବିତରଣ ପ୍ରଣାଳୀ। ବାୟୋମେଟ୍ରିକ ପ୍ରମାଣୀକରଣ ପରେ ହିତାଧିକାରୀମାନେ ସେମାନଙ୍କର ପ୍ରାପ୍ୟ ଖାଦ୍ୟଶସ୍ୟ ଅତି ସହଜରେ ପାଇପାରିବେ। ଏହି ମେସିନ୍ ଏକ ସମୟରେ ଦୁଇଟି ଭିନ୍ନ ଖାଦ୍ୟଶସ୍ୟ ପ୍ରଦାନ କରିବାରେ ସକ୍ଷମ ଏବଂ ଏହାର ସଂରଚନା ସମ୍ପୂର୍ଣ୍ଣ ମଡ୍ୟୁଲାର ହୋଇଥିବାରୁ ଏହାକୁ ଯେକୌଣସି ସୁଲଭ ମୂଲ୍ୟ ଦୋକାନରେ ସହଜରେ ସ୍ଥାପନ କରାଯାଇପାରିବ। ବିଦ୍ୟୁତ ସଞ୍ଚୟ ଏବଂ ନିରବଚ୍ଛିନ୍ନ ସେବା ପାଇଁ ଏହାକୁ ସୋଲାର ପ୍ୟାନେଲ୍, ଇନଭର୍ଟର ବ୍ୟାଟେରୀ ଏବଂ ସ୍ୱୟଂଚାଳିତ ରିଫିଲିଂ ପାଇଁ ଏଲିଭେଟର ସହ ଯୋଡ଼ାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ