
ମାଲକାନଗିରି , ୨୨ ମଇ (ହି.ସ.) ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଛି କିଶୋରୀ ଦାଦନ ଶ୍ରମିକ ଚାଲାଣ ଘଟଣା । କ୍ରିଷ୍ଣା ବସ୍ ଯୋଗେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶର ବିଜୟବାଡା ସ୍ଥିତ ଚିଙ୍ଗୁଡ଼ି କାରଖାନାକୁ ପ୍ୟାକିଙ୍ଗ କାମ ପାଇଁ ଯାଉଥିବା ବେଳେ କିଛି କିଶୋରୀଙ୍କୁ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା କିଶୋରୀମାନେ ମୁଦୁଲିପଡ଼ା ଗ୍ରାମପଞ୍ଚାୟତର କିଚପଡ଼ା ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । କେତେକ କିଶୋରୀଙ୍କ ବୟସ ୧୮ ବର୍ଷରୁ କମ୍ ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, କଟକର ଜଣେ “ବାବୁ ଭାଇ” ଫୋନ ନଂ ୭୦୧୩୭୩୫୫୩୩ ନାମକ ବ୍ୟକ୍ତିଙ୍କ ସହ ଏହି ଶ୍ରମିକ ଚାଲାଣର ଯୋଗାଯୋଗ ରହିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି କିଶୋରୀମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଇଥିବା କୁହାଯାଉଛି ।
ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରୁ ବର୍ଷସାରା ଧର୍ମ ଶିକ୍ଷା ନାମରେ କିମ୍ବା ଦାଦନ ଶ୍ରମିକ ଭାବେ କୋମଳମତି କିଶୋରୀମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଉଥିବା ଅଭିଯୋଗ ନୂଆ ନୁହେଁ । ଅନେକ ସମୟରେ ସେମାନେ ଫେରି ଆସୁଥିବା ବେଳେ କିଛି ଅଘଟଣ ଓ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି କିଶୋରୀମାନଙ୍କ ପାଖରେ ଶ୍ରମିକ ପଞ୍ଜୀକରଣ, ବ୍ୟାଙ୍କ ଆକାଉଣ୍ଟ, ବୀମା ସୁବିଧା କିମ୍ବା ସଠିକ୍ ଚାକିରି ଚୁକ୍ତିନାମା ନାହିଁ । କେଉଁଠି କାମ କରିବେ, କେତେ ଦରମା ମିଳିବ, ରହିବା ଓ ଖାଇବା ବ୍ୟବସ୍ଥା କେମିତି ହେବ — ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ଦିଆଯାଉନାହିଁ ।
ସ୍ଥାନୀୟ ସଚେତନ ଯୁବକ ମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ପରେ ନିୟମିତ ନଜରଦାରି ଓ ପୁନର୍ବାସ ବ୍ୟବସ୍ଥା ନ ଥିବାରୁ ସେହି କିଶୋରୀମାନେ ପୁଣିଥରେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ଗତବର୍ଷ ଚାଇଲ୍ଡ ଲାଇନ୍ ଓ ଶ୍ରମ ବିଭାଗ ପକ୍ଷରୁ ଅନେକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୃଢ଼ ପରିଣାମ ଦେଖିବାକୁ ମିଳିନାହିଁ । ଜନସଚେତନତାର ଅଭାବ ଓ ଆର୍ଥିକ ଦୁର୍ବଳତା ହିଁ ଏଭଳି ଦାଦନ ପ୍ରଥାକୁ ଆହୁରି ବଢ଼ାଇ ଦେଉଥିବା ମତ ପ୍ରକାଶ ପାଉଛି ।
ଏହି ଘଟଣା ପୁଣିଥରେ ପ୍ରଶାସନର ନଜରକୁ ଆଣିଛି ଯେ, ପିଭିଟିଜି ଓ ଆଦିବାସୀ କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷା ଓ ଜୀବିକା ନିମନ୍ତେ ଦୀର୍ଘମିଆଦି ପଦକ୍ଷେପ ନେବା ଏବେ ସମୟର ଆବଶ୍ୟକତା ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ