ଜୟପାଟଣା ବ୍ଲକରେ ମନରେଗାରେ କୋଟି କୋଟି ଟଙ୍କାର ସାମଗ୍ରୀ ଯୋଗାଣରେ ସରକାର ଜିଏସଟି ପାଉଛନ୍ତି କେତେ, ଭେଣ୍ଡର ଫାଙ୍କୁଛନ୍ତି ଜିଏସଟି
ମୁଖୀଗୁଡା, ୨୨ ମଇ (ହି.ସ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୨ଟି ପଞ୍ଚାୟତରେ ମନରେଗାରେ ବିଭିନ୍ନ ପ୍ରକଳ୍ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୫.୯୮ଲକ୍ଷ,୨୦୨୩-୨୪ରେ ୬୨୧.୮୪ ଲକ୍ଷ,୨୦୨୪-୨୫ରେ ୨୨୬.୪୩ଲକ୍ଷ, ୨୦୨୫-୨୬ ଆର୍ଥିକ ବର୍ଷରେ ୧୦୬୦.୧୫ଲକ୍ଷ, ଟଙ୍କାର ସାମଗ୍ରୀ ଯୋଗାଣ ହୋଇଛି ହେଲେ ସରକାର
ଜୟପାଟଣା ବ୍ଲକରେ ମନରେଗାରେ କୋଟି କୋଟି ଟଙ୍କାର ସାମଗ୍ରୀ ଯୋଗାଣରେ ସରକାର ଜିଏସଟି ପାଉଛନ୍ତି କେତେ, ଭେଣ୍ଡର ଫାଙ୍କୁଛନ୍ତି ଜିଏସଟି


ମୁଖୀଗୁଡା, ୨୨ ମଇ (ହି.ସ)-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୨ଟି ପଞ୍ଚାୟତରେ ମନରେଗାରେ ବିଭିନ୍ନ ପ୍ରକଳ୍ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୫.୯୮ଲକ୍ଷ,୨୦୨୩-୨୪ରେ ୬୨୧.୮୪ ଲକ୍ଷ,୨୦୨୪-୨୫ରେ ୨୨୬.୪୩ଲକ୍ଷ, ୨୦୨୫-୨୬ ଆର୍ଥିକ ବର୍ଷରେ ୧୦୬୦.୧୫ଲକ୍ଷ, ଟଙ୍କାର ସାମଗ୍ରୀ ଯୋଗାଣ ହୋଇଛି ହେଲେ ସରକାର ଜିଏସଟି ବାବଦରେ କେତେ ପାଇଛନ୍ତି ବୋଲି ପ୍ରଶ୍ନ ଉଠିଛି । ମନରେଗାରେ ଭେଣ୍ଡର ମାନେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଇ ବିଲ୍ କରୁଥିଲେ ହେଁ ସେମାନେ ଜିଏସଟି ଦାଖଲ କରୁନଥିବା ଅଭିଯୋଗ ହେଉଛି । ଜୟପାଟଣା ବ୍ଲକର ଅନେକ ଭେଣ୍ଡରଙ୍କ ବ୍ୟବସାୟ ଓ ପ୍ରତିଷ୍ଠାନ ନଥାଇ ସେମାନେ ଲକ୍ଷ ଲକ୍ଷ ଟଙ୍କାର ସିମେଣ୍ଟ, ଲୁହାଛଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଇ ବିଲ୍ କରୁଥିଲେ ମଧ୍ୟ ଅଧିକାଂଶ ଭେଣ୍ଡର ଜିଏସଟି ଦାଖଲ କରୁନଥିବା ଅଭିଯୋଗ ହେଉଛି । ଜିଏସଟି ବିଭାଗ ଜୟପାଟଣା ବ୍ଲକର ଦୁଇ ଭେଣ୍ଡରଙ୍କୁ ନୋଟିସ ଜାରି କଲା ପରେ ଅସାଧୁ ଭେଣ୍ଡର ମଧ୍ୟରେ ଛନକା ପଶିଛି ।ମନରେଗାରେ ଭେଣ୍ଡର ବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଟିକସ ହାନି ହେଉଥିବା ଅଭିଯୋଗ ହେଉଛି । ମନରେଗା କାମରେ ଆବଶ୍ୟକ ସାମଗ୍ରୀ ନଯୋଗାଇ ମିଥ୍ୟା ବିଲ୍ କରି ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହେଉଛି । ମନରେଗାର ବିଭିନ୍ନ ପ୍ରକଳ୍ପରେ ଶ୍ରମିକଙ୍କ ମଜୁରୀ ଓ ଏଥିରେ ବ୍ୟବହାର କରାଯାଇଥିବା ସାମଗ୍ରୀ ବାବଦରେ ଖର୍ଚ୍ଚ କରାଯାଉଛି । ଶ୍ରମିକଙ୍କ ମଜୁରୀ ସେମାନଙ୍କ ଖାତାରେ ଜମା କରାଯାଉଥିବା ବେଳେ ଏ ସବୁ ପ୍ରକଳ୍ପରେ ହେଉଥୁବା ସାମଗ୍ରୀ ବାବଦ ଖର୍ଚ୍ଚ ତିଆରଡିଏରେ ପଞ୍ଜିକୃତ ଭେଣ୍ଡର ଖାତାରେ ପ୍ରଦାନ କରାଯାଇଥାଏ। ଅନେକ ଭେଣ୍ଡରଙ୍କ ବ୍ୟବସାୟ ପ୍ରତିଷ୍ଠାନ ନଥାଇ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଣ କରୁଛନ୍ତି । କେତେକ ଭେଣ୍ଡରଙ୍କ ବ୍ୟବସାୟୀକ ପ୍ରତିଷ୍ଠାନ ରହିଥିବା ବେଳେ ଆଉ କେତେକଙ୍କ ବ୍ୟବସାୟ ପ୍ରତିଷ୍ଠାନ ନଥାଇ ଭେଣ୍ଡର ଭାବେ ପଞ୍ଜିକୃତ ହୋଇଛନ୍ତି । ଠିକାଦାର ସାମଗ୍ରୀ କିଣୁଥିଲେ ମଧ୍ୟ ଭେଣ୍ଡର ଆକାଉଣ୍ଟରେ ଟଙ୍କା ଜମା ହେଉଥିବାରୁ ଭେଣ୍ଡରମାନେ ବିଭିନ୍ନ ଟିକସ ବାବଦକୁ ୮ରୁ ୧୨ ପ୍ରତିଶତ ଟଙ୍କା କାଟି ବଳକା ଟଙ୍କା ଠିକାଦାରଙ୍କୁ ପ୍ରଦାନ କରନ୍ତି । ଯେଉଁ ସାମଗ୍ରୀ ଯୋଗାଇଛି ବୋଲି ଟଙ୍କା ଉଠାଯାଉଛି, ତାହାର କିଣା ରସିଦ ଦାଖଲ କରିବାକୁ ପଡୁନଥିବାରୁ ଭେଣ୍ଡରଙ୍କୁ ଜିଏସଟି ଫାଙ୍କିବାକୁ ସୁବିଧା ହେଉଛି। ଏଭଳି ଭାବେ ଭେଣ୍ଡରମାନେ ମନଇଚ୍ଛା ବିଲ୍ କରି ଟଙ୍କା ହଡପ କରୁଛନ୍ତି । କେତେକ ଭେଣ୍ଡର କମ୍ପୁଟରରେ ନିଜେ ଏଡିଟ କରି ମିଥ୍ୟା ବିଲ୍ ଦେଉଛନ୍ତି । ଏହି ଦୁର୍ନୀତିରେ ସହଯୋଗ କରୁଛନ୍ତି ପିଇଓ, ଯନ୍ତ୍ରୀ ଏବଂ ଅନ୍ୟ କେତେକ କର୍ମଚାରୀ । ଯେଉଁ ଭେଣ୍ଡରମାନେ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇପାରିଲେ, ସେମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ସାମଗ୍ରୀ ଯୋଗାଣ ବାବଦରେ ଟଙ୍କା ଛଡାଯାଉଛି । ସମଗ୍ରୀ କିଣୁଛନ୍ତି କି ନାହିଁ, କାହାଠୁ କିଣିଛନ୍ତି, କେତେ କିଣିଛନ୍ତି, ଜିଏସଟି ଦାଖଲ ହୋଇଛି ନା ନାହିଁ, ଏହା ଜାଣିବା ଲାଗି ଭେଣ୍ଡରଙ୍କ କାଗଜପତ୍ର ଯାଞ୍ଚ କରିବାକୁ କୌଣସି ବ୍ୟବସ୍ଥା ନାହିଁ । । ଫଳରେ ଦୁର୍ନୀତି କରିବାକୁ ସହଜ ହୋଇଯାଉଛି । ଜୟପାଟଣା ବ୍ଲକର ପ୍ରତ୍ୟେକ ଭେଣ୍ଡରଙ୍କ ଜାଗଜପତ୍ର ଯାଞ୍ଚ କରାଗଲେ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିପାରିବ ବୋଲି ମତ ପ୍ରକାଶ ପାଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande