
ମାଲକାନଗିରି,୨୨ ମଇ (ହି.ସ.)ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ର ମାଲକାନଗିରି ନିର୍ବାଚନ ମଣ୍ଡଳୀ ତରଫରୁ ଆଜି କାଲିମେଳା ହାଟ ପଦା ଠାରେ ମାଲକାନଗିରି ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜୁ ମହିଳା ଜନତା ଦଳ ର ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଙ୍କ ନେତୃତ୍ୱରେ ଏବଂ କାଲିମେଳା ବ୍ଲକ ବିଜୁ ମହିଳା ନେତ୍ରୀ ବର୍ଣାଳି କୀର୍ତ୍ତନୀୟା ,ପଡିଆ ବ୍ଲକ ବିଜୁ ମହିଳା ନେତ୍ରୀ ତଥା ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ପଡ଼ିଆମୀ ,ମାଲକାନଗିରି ବ୍ଲକ ବିଜୁ ମହିଳା ନେତ୍ରୀ ତଥା ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ,ମାଲକାନଗିରି ପୌର ପରିଷଦ ମହିଳା ନେତ୍ରୀ ପୁଷ୍ପାଞ୍ଜଳି ମହାରଣା ଏବଂ ପୌର ପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ବିଜୁ ମହିଳା ସମ୍ପାଦିକା କବିତା ମହନ୍ତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜିର ନାରୀ ଅଧିକାର ପ୍ରତିବାଦ ସଭା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଅପାରଗ ବିଜେପି ସରକାର ବିରୁଦ୍ଧରେ ବର୍ଷିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବିଜେଡି ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଦୁର୍ଗା ତ୍ରିପାଠୀ ଯୋଗ ଦେଇ ବିଜେପି ସରକାର ମହିଳା ଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ ,ନାରୀ ନିର୍ଯ୍ୟାତନା କୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବୋଲି ଭାଷଣରେ କହିଛନ୍ତି । ଆଜି ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ କାଲିମେଳା ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଦୀପ କର ଙ୍କ ଜରିଆରେ ଭାରତ ବର୍ଷର ମହାମହୀମ ରାଷ୍ଟ୍ରପତି ମହୋଦୟା ଙ୍କୁ ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଅଧୁନିୟମର ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ମହିଳାମାନଙ୍କ ପ୍ରତି ବଢିଚାଲିଥିବା ନୃଶଂସ ନିର୍ଯାତନାକୁ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ସମ୍ବନ୍ଧେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଗତ କିଛି ଦିନ ଧରି ସାରା ଦେଶରେ ମହିଳା ସଂରକ୍ଷଣକୁ ନେଇ ଜୋରରେ ପ୍ରଚାର ଚାଲିଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଆଡେ ନାରୀ ଅଧିକାର ଓ ସଶକ୍ତିକରଣର ବଡ ବଡ ଭାଷଣବାଜି ଚାଲିଛି। କିନ୍ତୁ ପ୍ରକୃତରେ ମହିଳାମାନଙ୍କ ରାଜନୈତିକ, ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ଆଜି ମଧ୍ୟ ବଡ ପ୍ରଶ୍ନବାଚୀ ହୋଇ ରହିଛି। ନାରୀମାନଙ୍କର ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁ ବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ। ପଞ୍ଚାୟତରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ପଦକ୍ଷେପ ନେଇ ବିଜୁବାବୁ ଇତିହାସ ସୃଷ୍ଟି କରିଯାଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସରକାର ପଞ୍ଚାୟତରାଜ ଓ ପୌରସଂସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲେ । ୨୦୧୯ ଓ ୨୦୨୪ ନିର୍ବାଚନରେ ଲୋକସଭା ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ମହିଳାମାନଙ୍କୁ ୩୩ ପ୍ରତିଶତ ଟିକେଟ ମଧ୍ୟ ଦେଇଥିଲେ । ମହିଳା ସଂରକ୍ଷଣ ବିଜୁ ଜନତା ଦଳର ସବୁ ସମୟରେ ପ୍ରଥମ ଆଭିମୁଖ୍ୟ ରହିଛି ଓ ରହିଥିବ। ମହିଳା ସଂରକ୍ଷଣ ବିଲ୍ ୨୦୨୩କୁ ପାର୍ଲାମେଣ୍ଟରେ ବିଜୁ ଜନତା ଦଳ ଦୃଢ ଭାବରେ ନିଃସର୍ତ ସମର୍ଥନ କରିଥିଲା। ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଲାଗୁ କଲେ ନାହିଁ । ସୀମା ପୁନଃ ନିର୍ଦ୍ଧାରଣ ବିଲ୍କୁ ଲୁକ୍କାୟିତ ଭାବରେ ମହିଳା ସଂରକ୍ଷଣ ବିଲ୍ ନାଁରେ ପାରିତ କରିବାର ଅପଚେଷ୍ଟା ଓ ହୀନ ଚକ୍ରାନ୍ତ କରିଥିଲେ । ଆମର ଦୃଢ ଦାବି ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉଭୟ ଲୋକସଭା ଓ ବିଧାନସଭାରେ ତୁରନ୍ତ ଲାଗୁ କରାଯାଉ। ବର୍ତ୍ତମାନ ଲୋକସଭାରେ ସ୍ଥାନ ସଂଖ୍ୟା ଭିଭିରେ ଏହି ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କୁ ଦିଆଯାଉ । ସୀମା ନିର୍ଦ୍ଧାରଣ ବିଲ୍ ସହିତ ମହିଳା ସଂରକ୍ଷଣକୁ ଯୋଡି ମହିଳାଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରାନଯାଉ। ଓଡିଶା ଆଜି ମହିଳା ହିଂସା ଓ ଅପରାଧର ପେଣ୍ଠସ୍ଥଳୀ ପାଲଟିଗଲାଣି। କ୍ରମାଗତ ଭାବରେ ମହିଳା ହିଂସା, ଯୌନ ଉତ୍ପୀଡନ ବୃଦ୍ଧି ପାଇବାରେ ଲାଗିଛି। ଏନ୍ସିଆରବି ରିପୋର୍ଟ ଅନୁଯାୟୀ, ମହିଳା ଯୌନ ନିର୍ଯାତନା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ପ୍ରତ୍ୟେକ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା ଭଳି ବର୍ବରୋଚିତ, ଅମାନୁଷିକ କାଣ୍ଡ ଘଟିଚାଲିଛି । ଶାନ୍ତି ପ୍ରିୟ ଓଡିଶା ଆଜି ସାରା ପୃଥିବୀରେ ଲଜ୍ଜିତ ଓ ନିନ୍ଦିତ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାରକୁ ଦେଖ୍ ଯୁକ୍ତରାଷ୍ଟ୍ର ଆମେରିକା ଓଡିଶା ନଯିବାକୁ ମାର୍ଗଦର୍ଶିକା ଜାରି କଲା। ଜଣେ ମହିଳାଙ୍କ ମୃତ୍ୟୁକୁ ପ୍ରମାଣ କରି ନିଜ ପ୍ରାପ୍ୟ ପାଇବାକୁ ଯାଇ ଭାଇକୁ ମହିଳାଙ୍କ କଙ୍କାଳ ଖୋଳି ବ୍ୟାଙ୍କକୁ ନେବା ଭଳି ଅଭାବନୀୟ ଘଟଣା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ଏହା ଏକ ସମ୍ବେଦନହୀନ ରାଜ୍ୟସରକାରଙ୍କ ପ୍ରଶାସନିକ ଚରମ ଅବହେଳା ଓ ଉତ୍ତରଦାୟିତ୍ଵ ହୀନତାକୁ ଦର୍ଶାଉଛି।
ବିଗତ ଦୁଇ ବର୍ଷରେ ସରକାରଙ୍କ ଅପାରଗତା, ବିଫଳତା ତଥା ଅପରାଧ ନିୟନ୍ତ୍ରଣରେ ଚରମ ଉଦାସିନତା ହେତୁ ୪୮,୦୦୦ ମହିଳା ହିଂସା ଓ ଯୌନ ନିର୍ଯାତନା ମାମଲା ଥାନାରେ ରେକର୍ଡ ହୋଇଛି। ବିଗତ ଏକ ସପ୍ତାହ ଭିତରେ ଘଟିଥିବା ଦୃଦୟ ବିଦାରକ ଓ ଅମାନୁଷିକ ଅପରାଧ ଓଡିଶାର ଭାବମୂର୍ତ୍ତୀକୁ ଆହୁରି କ୍ଷୁଣ୍ଣ କରିଛି । ଢେଙ୍କାନାଳର ଭାପୁରରେ ମହିଳାଙ୍କୁ ଦୁଷ୍କର୍ମ କରି ମୁହଁକୁ ପଥରରେ ଛେଚି ଦିଆଗଲା, ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ତିନି ବର୍ଷର ଶିଶୁ କନ୍ୟା ସାମ୍ନାରେ ହତ୍ୟା କରାଗଲା, ବରଗଡରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ଯୌନ ନିର୍ଯାତନା ଦିଆଗଲା। ବାଲିଅନ୍ତାରେ ବୃଦ୍ଧା ମାଆଙ୍କ ଏକମାତ୍ର ପୁତ୍ରକୁ ପୋଲିସ ସମ୍ମୁଖରେ ପିଟିପିଟି ମାରି ଦିଆଗଲା । ବାଲିପାଟଣାରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯିବା ଭଳି ହିଂସା ଘଟଣାରେ ସରକାରଙ୍କ ଉପରୁ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ଉଠିଯାଉଛି। ଜଣାପଡୁଛି ଓଡ଼ିଶାରେ ଆଇନର ଶାସନ ନାହିଁ । ୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇ, ଆଇନରେ ପରିଣତ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରାଯାଇ ୩୩ ପ୍ରତିଶତ ଲୋକସଭାରେ ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ କରାଯାଉ । ଓଡିଶାରେ ଗତ ଦୁଇ ବର୍ଷ ଭିତରେ କ୍ରମାଗତ ଭାବରେ ବଢି ଚାଲିଥୁବା ନାରୀ ନିର୍ଯାତନା ଉପରେ ରୋକ ଲଗାଇବାକୁ ଦୃଢ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ଦାବି କରିଛନ୍ତି । ଆଜିର ପ୍ରତିବାଦ ସଭା କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟା ମମତା ପଡ଼ିଆମୀ ,ଜିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ , ବରିଷ୍ଠ ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ ପ୍ରମୁଖ ଙ୍କ ସହ ବିଜେଡି ବରିଷ୍ଠ ନେତା ତଥା ବିଜେଡି ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ,ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ ,ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ବିଜେଡି ବରିଷ୍ଠ ନେତା ବିଶ୍ୱନାଥ ରେଡ୍ଡୀ , ବିଜେଡି ଜିଲ୍ଲା ସମ୍ପାଦକ କେ ରାହୁଲ ,ବିଜେଡି ବରିଷ୍ଠ ନେତା ସର୍ବ କୁମାର ବିଶୋଇ ,ବିଜେଡି ବରିଷ୍ଠ ନେତା ରୁଦ୍ର ପାତ୍ର ,ବରିଷ୍ଠ ନେତା ଶରତ ଚନ୍ଦ୍ର ବିଶ୍ୱାଳ ,ବିଜେଡି ନେତା ମଙ୍ଗଳା ପାଙ୍ଗି , ବିଜେଡି ନେତା କଣ୍ଟେଶ ପୋଟଲା ,କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ,ବିଜେଡି ନେତା ସି ଏଚ୍ ରାବିଟ୍ ,ମେସାକ ମାଦ୍ରୀ ,ଶିବ ପ୍ରସାଦ ତ୍ରିପାଠୀ ,ବିଜେଡି ନେତା ଦିଲ୍ଲୀପ ବିଶ୍ୱାସ ,ସୁଜୟ ମିସ୍ତ୍ରୀ ,ସୁବ୍ରତ ଶୀଲ ,ଇନ୍ଦ୍ରଜିତ ମଧୁ ,ଯୁବ ନେତା ରାକେଶ ମଣ୍ଡଳ ପ୍ରମୁଖ ଙ୍କ ସହ ଆଜିର ସଭା ପରିଚାଳନା କରିଥିଲେ କାଲିମେଳା ବ୍ଲକ ବିଜେଡି ସଭାପତି ଶଙ୍କର ହଲଦାର ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ