ଭଦ୍ରକରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଭଦ୍ରକ, ୨୨ ମଇ (ହି.ସ.) - ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁ ଓ ସମ୍ଭାବ୍ୟ ବନ୍ୟା, ଘୂର୍ଣ୍ଣିଝଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତି ନେଇ ବୈଠକରେ ବିସ
ZILLASTARIYA PRAKRUTIKA BIPARJAYA MEETING


ଭଦ୍ରକ, ୨୨ ମଇ (ହି.ସ.) - ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁ ଓ ସମ୍ଭାବ୍ୟ ବନ୍ୟା, ଘୂର୍ଣ୍ଣିଝଡ଼ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତି ନେଇ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ସହ ତଳିଆ ଅଂଚଳର ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ପାନୀୟ ଜଳ, ବିଦ୍ୟୁତ ଓ ଆବଶ୍ୟକ ସେବା ଯୋଗାଣ ନିର୍ବିଘ୍ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଜଳ ନିଷ୍କାସନ, ନଦୀବନ୍ଧ ସୁରକ୍ଷା, ଜରୁରୀକାଳୀନ ଉଦ୍ଧାର ସାମଗ୍ରୀ ମହଜୁଦ ଓ କେଂଟ୍ରାଲ ରୁମକୁ ସକ୍ରିୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଚାନ୍ଦବାଲି ବ୍ଲକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ସାମନା କରିବା ସହ ବର୍ଷା ଋତୁ ପୂର୍ବରୁ ବକେୟା ରହିଥିବା ସମସ୍ତ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଟୁଟୁ ବଳ ଚାନ୍ଦବାଲି ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଶୀଘ୍ର ଓ ସୁଚାରୁ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ ଯେ, ଜିଲ୍ଲାରେ ୩୩ଟି ମେଡିକାଲ୍ ରିଲିଫ୍ ସେଂଟର ଖୋଲାଯିବା ସହ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ମେଡିକାଲ୍ ଅଫିସରମାନଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ। ଏହାସହ ପ୍ରତ୍ୟେକ ବ୍ଲକରେ ୨ଟି ଲେଖାଏଁ ମୋବାଇଲ୍ ହସ୍ପିଟାଲ୍ ବ୍ୟବସ୍ଥା କରାଯିବ। ଜିଲ୍ଲା ମୁଖ୍ୟାଳୟରେ ହାଲୋଜିନ୍ ବଟିକା ଓ ଓଆରଏସ୍ ପ୍ରଚୁର ପରିମାଣରେ ମହଜୁଦ ଥିବା ସେ ସୂଚନା ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସିଡିଭିଓଙ୍କୁ ଗୃହପାଳିତ ପଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଆର୍ରଡବ୍ଲ୍ୟୁଏସ୍ଏସ୍ ବିଭାଗକୁ ବ୍ଲିଚିଂ ପାଉଡର, ସିନ୍ଟେକ୍ସ ଟ୍ୟାଙ୍କ ଓ ଡିଜି ସେଟ୍ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା। ଟିପିଏନଓଡିଏଲ୍, ଡ୍ରେନେଜ୍ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗକୁ ବିପର୍ଯ୍ୟୟ ସମୟରେ ବିଦ୍ୟାଳୟଗୁଡ଼ିକୁ ୨୪ ଘଂଟା ଖୋଲା ରଖିବା ସହ ସମସ୍ତ ପ୍ରସ୍ତୁତି ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଗ୍ନିଶମ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ସମସ୍ତ ଲାଇନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande