ମୁରିବାହାଲ ହାତୀ ମୃତ୍ୟୁ ଘଟଣା : ଗିରଫ ପୂର୍ବରୁ ଚାର୍ଜସିଟ୍, ଖସିଯିବେ ଅଭିଯୁକ୍ତ
ବଲାଙ୍ଗିର, ୨୩ ମଇ (ହି.ସ.)- ବଲାଙ୍ଗିର ଜିଲ୍ଳା ମୁରିବାହାଲ ରେଞ୍ଜ ଚନୁଟମାଲ ଗ୍ରାମର ଏକ କାଜୁ ବଗିଚାରୁ ଗତ ଏପ୍ରିଲ ୩୦ ତାରିଖରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ୨୧ ଦିନ ବିତିଯାଇଥିଲେ ମଧ୍ୟ ବ୍ୟବଛେଦ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ତଦନ୍ତ ପ୍ରକ୍ରିୟା ଅଟକି ରହିଥି
ମୁରିବାହାଲରେ ହାତୀ ମୃତ୍ୟୁ ଘଟଣା ଗିରଫ ପୂର୍ବରୁ ଚାର୍ଜସିଟ୍,ଖସିଯିବେ ଅଭିଯୁକ୍ତ


ବଲାଙ୍ଗିର, ୨୩ ମଇ (ହି.ସ.)- ବଲାଙ୍ଗିର ଜିଲ୍ଳା ମୁରିବାହାଲ ରେଞ୍ଜ ଚନୁଟମାଲ ଗ୍ରାମର ଏକ କାଜୁ ବଗିଚାରୁ ଗତ ଏପ୍ରିଲ ୩୦ ତାରିଖରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ୨୧ ଦିନ ବିତିଯାଇଥିଲେ ମଧ୍ୟ ବ୍ୟବଛେଦ ରିପୋର୍ଟ ଆସିବାରେ ବିଳମ୍ବ ଯୋଗୁଁ ତଦନ୍ତ ପ୍ରକ୍ରିୟା ଅଟକି ରହିଥିବା ବେଳେ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ଦୋଷ ଲଦାଲଦି ଚାଲିଥିଲା। ଚାଷ ଜମିରେ ବିଦ୍ୟୁତ ତାର ବିଛାଯିବା ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଆକଳନ କରାଯାଇଥିବା ବେଳେ ବର୍ତମାନ ଏହି ଶିକାର ମାମଲାରେ ବନ ବିଭାଗ ହାତରେ ବଡ ସୁରାକ ଲାଗିଛି। ଫରେଷ୍ଟର ଧୃବଚରଣ ବଗର୍ତ୍ତୀ ଙ୍କ ସୂଚନାନୁସାରେ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ହାତୀ ମୃତ୍ୟୁ ଅଭିଯୋଗରେ ତିନି ଅଭିଯୁକ୍ତଙ୍କ ବିରୋଧ ରେ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ଏବଂ ସେମାନଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।ଏହି ମାମଲାରେ ସମ୍ପୃକ୍ତ ଥିବା କାଜୁ ବଗିଚା ମାଲିକ ସଂଜୀବ ପୁଟେଲ, ମୁରିବାହାଲ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୁନେବ ଖାନ୍ ଏବଂ ଲାଇନମେନ ଅଜିତ ତରିଆଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି। ବନ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ଅଭିଯୁକ୍ତମାନେ ଫେରାର ହୋଇ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଗିରଫ ନକରି ବନ ବିଭାଗ ଏତେ ତରବରିଆ ଭାବେ ଚାର୍ଜସିଟ୍ ଦାଖଲ କରିବା ଆଇନଗତ ରଣନୀତି ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାଧାରଣରେ ଚର୍ଚ୍ଚା ହେଉଛି ଯେ, ବନ ବିଭାଗ ଆଖିରେ ଧୂଳି ଦେଇ ଫେରାର ଥିବା ଏହି ଅଭିଯୁକ୍ତ ମାନଙ୍କ ପାଇଁଁ ଏହି ଚାର୍ଜସିଟ୍ ଆଗୁଆ ଜାମିନ ପାଇବାରେ ବ୍ରହ୍ମାସ୍ତ୍ର ସଦୃଶ ସାବ୍ୟସ୍ତ ହୋଇପାରେ। ଯାହାଦ୍ବାରା ସେମାନେ ସହଜରେ ଜାମିନ ପାଇ ଆଇନର ଗଳାବାଟ ଦେଇ ଚାଲାକିରେ ଖସିଯିବାକୁ ସକ୍ଷମ ହେବେ। ତେବେ ଦେଖିବାକୁ ବାକି ରହିଲା କେବେ ଏହି ନିରୀହ ଗଜରାଜକୁ ଉଚିତ ନ୍ୟାୟ ମିଳୁଛି ନା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯାଇ ସେମାନଙ୍କୁ ସହଜରେ ଖସେଇ ଦିଆଯାଉଛି। ଏ ବିଷୟରେ ଅଧିକ ସୂଚନା ପାଇଁଁ ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭୀରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande