
ମାଲକାନଗିରି, ୨୩ ମଇ (ହି.ସ.)- ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ। ତେବେ ଏହା ମଧ୍ୟରେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ନେଇ ଅଭିଯୋଗ ସାମ୍ନାକୁ ଆସୁଛି। ଶନିବାର ଅଂଶୁଘାତରେ ବନ ବିଭାଗର ଜଣେ ପାରା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ମାଥିଲି ରେଞ୍ଜ ଗୋବିନ୍ଦପାଲି ଠାରେ ପାଟ୍ରୋଲିଂ ପାଇଁ ଗଲାବେଳେ ମଝି ରାସ୍ତାରେ ଟଳି ପଡ଼ିଥିଲେ କର୍ମଚାରୀ ଗୌରାଙ୍ଗ ପୂଜାରୀ। ଅସୁସ୍ଥ ଅବସ୍ଥାରେ ପ୍ରଥମେ ତାଙ୍କୁ ମାଥିଲି ପରେ ଅଧିକ ଚିକିତ୍ସା ନିମନ୍ତେ ମାଲକାନଗିରି ସ୍ଥାନାନ୍ତରିତ କରାଯାଇଥିଲା। ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାଥିଲି ବନାଂଚଳରେ ବନ ପାରାଗାର୍ଡ ଭାବେ କାର୍ଯ୍ୟରତ ଥିଲେ ଗୌରାଙ୍ଗ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ