
ଭୁବନେଶ୍ୱର,୨୩ ମଇ (ହି.ସ.) - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ଦ୍ୱାରା ୧୧.୪.୧୯୭୪ ମସିହାରେ ସମ୍ବଲପୁର ସହରର ଭତରାଠାରେ ଗାନ୍ଧୀ ମନ୍ଦିର ପ୍ରତିଷ୍ଠା କରାଯାଇ ପ୍ରତ୍ୟହ ପୂଜକଙ୍କ ଦ୍ୱାରା ନିୟମିତ ଦୁଇବେଳା ଗାନ୍ଧୀଜୀଙ୍କୁ ପୂଜା କରାଯାଇ ଆସୁଅଛି। ସେହିପରି ଭାରତବର୍ଷର ଅନ୍ୟତମ ଐତିହାସିକ ତୀର୍ଥଭୂମି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ କୁହୁଡି। ୧୯୩୦ ମସିହା ମଇ ୨୧ ତାରିଖ ଦିନ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀବାଦୀ ନେତା ପୂର୍ଣ୍ଣାନନ୍ଦ ସ୍ୱାଇଁ, ମଧୁସୂଦନ ମିଶ୍ର, ଭୁବନାନନ୍ଦ ସ୍ୱାଇଁ ଓ ବାଳକୃଷ୍ଣ ସ୍ୱାଇଁ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଓ ଲବଣ ସତ୍ୟାଗ୍ରହୀମାନେ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଏଠାରେ ଲବଣ ଆଇନ ଭଙ୍ଗ କରିଥିଲେ। ଯାହା ଆଜି ମଧ୍ୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଗାନ୍ଧୀଜୀଙ୍କ ଆହ୍ୱାନରେ ଅନୁପ୍ରାଣିତ ଏହି ସଂଗ୍ରାମୀ ସ୍ମୃତି ପୀଠ ପ୍ରତିବର୍ଷ ସ୍ମୃତି ବହନ କରି ଚାଲିଛି। ଉକ୍ତ ପୀଠକୁ ଜୀବନ୍ତ, ଐତିହ୍ୟ ଓ ସଂସ୍କୃତିର ଏକ ପ୍ରମୁଖ ତୀର୍ଥସ୍ଥଳୀର ମାନ୍ୟତା ଦିଆଯାଇ ଏହାର ସାମଗ୍ରୀକ ବିକାଶ ପାଇଁ ସରକାର ପଦକ୍ଷେପ ନେବାକୁ ସ୍ମୃତି ସମିତି ପକ୍ଷରୁ ନିବେଦନ କରାଯାଇଛି। ଗାନ୍ଧୀଜୀଙ୍କ ଆଦର୍ଶ ଓ ତାଙ୍କର ସାମଗ୍ରୀକ ଜୀବନ ସମ୍ପର୍କରେ ଯୁବସମାଜ ଅଧିକରୁ ଅଧିକ ଜାଣିବା ଦରକାର। ଏହି ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟର ଦ୍ୱିତୀୟ ସ୍ଥାନ ଭାବରେ ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିଠାରେ ନିକଟ ଭବିଷ୍ୟତରେ ଦ୍ୱିତୀୟ ଗାନ୍ଧୀ ମନ୍ଦିର ନିର୍ମାଣ କରାଯାଇ ଗାନ୍ଧୀଜୀଙ୍କୁ ନିୟମିତ ପୂଜାରୀତି ସହ ଏଠାରେ ପ୍ରତ୍ୟହ ସନ୍ଧ୍ୟାରେ ଗାନ୍ଧୀ ଭଜନ ପରିବେଷଣ କରାଯିବାକୁ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକ ଉପସ୍ଥିତ ସଭାରେ ସମସ୍ତଙ୍କ ସହଯୋଗ ଓ ସଦ୍ଦିଚ୍ଛା କାମନା କରିଛନ୍ତି। ଏହି ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସ୍ଥିର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା